ବିଜେପି ଜାତୀୟ ସଭାପତି ଜେପି. ନଡ୍ଡା କୋଭିଡ ପଜିଟିଭ

ନୂଆଦିଲ୍ଲୀ ୧୩।୧୨: ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ସଭାପତି କରୋନା ପଜିଟିଭ ଥିବା ରବିବାର ଜଣାପଡିଛି। ସେ ନିଜେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏ ନଇ ଏକ ପୋଷ୍ଟ କରିଛନ୍ତି।  ଯେଉଁଥିରେ ତାଙ୍କଠାରେ ପ୍ରାରମ୍ଭିକ କୋଭିଡ ଲକ୍ଷଣ ପ୍ରକାଶ ପାଇବାରୁ ସେ ପରୀକ୍ଷଣ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି। ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏଣୁ ଏହି ସମୟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଆଇସୋଲେଟ୍‌ ହେବା ସହ ନିଜର ଯାଞ୍ଚ କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ନଡ୍ଡା ନିକଟରେ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ଏହି ଗସ୍ତରୁ ଫେରିବା ପରେ ସେ ଅସୁସ୍ଥତା ଅନୁଭବ କରୁଥିଲେ। ଏଣୁ ସେ ତାଙ୍କର ପରୀକ୍ଷଣ କରାଇଥିବା ବେଳେ କୋଭିଡ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଛନ୍ତି। ଡିସେମ୍ବର ୧୦ ତାରିଖରେ ନଡ୍ଡା ଡାଇଣ୍ଡ ହାର୍ବର କର୍ମୀସମ୍ମିଳନୀରେ ଯୋଗଦେବାକୁ କୋଲକାତା ଆସିଥିଲେ। ଏହି ଗସ୍ତକାଳରେ ତାଙ୍କୁ ରାସ୍ତାରେ ଜନ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।ବିକ୍ଷୋଭକାରୀମାନେ ତାଙ୍କ ପଟୁଆର ଉପରକୁ ଟେକାପଥର ମାଡ କରିଥିଲେ। ତେବେ ନଡ୍ଡା ବୁଲେଟପ୍ରୁଫ ଗାଡିରେ ଥିବାରୁ ତାଙ୍କୁ କୌଣସି ଆଘାତ ଲାଗିନଥିଲା। ହେଲେ ଘଟଣା ତାଙ୍କୁ ମର୍ମାହତ କରିଥିଲା। ରାଜ୍ୟରେ ସରକାରଙ୍କ ଶାସନ ନଥିବା ସେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ କେନ୍ଦ୍ର ସରକାରରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।

Spread the love