ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ଜେପି ନଡ୍ଡା

ବରିଷ୍ଠନେତା ଜେପି ନଡ୍ଡା କେନ୍ଦ୍ର ବିଜେପିର ଏକାଦଶ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହ ଜେପି ନଡ୍ଡାଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି।  କେନ୍ଦ୍ର ବିଜେପି ଅଧ୍ୟକ୍ଷ ପାଇଁ ସୋମବାର ନାମାଙ୍କନ ଦାଖଲ କରାଯାଇଥିଲା। ନାମାଙ୍କନ ଦାଖଲର ଶେଷ ସମୟ ଆଜି 12.30 ପର୍ଯ୍ୟନ୍ତ ଥିଲା । ଜେପି ନଡ୍ଡାଙ୍କୁ ଛାଡି ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ତେଣୁ ସେ ସହମତିରେ ବିଜେପି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଅମିତ ଶାହା ବିଗତ ସାଢ଼େ ୫ ବର୍ଷ ହେବ ଦଳର ନେତୃତ୍ୱ ନେଇଛନ୍ତି । ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି ।  ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦ ଜେପି ନଡ୍ଡା ଗତ ବର୍ଷ ଠାରୁ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଅଛନ୍ତି । କିନ୍ତୁ ଏବେ ତାଙ୍କୁ ପାର୍ଟିର ସଂପୂର୍ଣ୍ଣ ଦାୟିତ୍ୱ ମିଳିଲା । ବିଜେପି ଜଣେ ବ୍ୟକ୍ତି ଗୋଟିଏ ପଦ ନିୟମରେ କାମ କରୁଛି । ଏହି କାରଣରୁ ଗୃହମନ୍ତ୍ରୀ ଅମିତ ଶାହା ଏବେ ଅଧ୍ୟକ୍ଷ ପଦର ଦାୟିତ୍ୱରେ ରହିବେ ନାହିଁ ।  ନାମାଙ୍କନ ସମୟରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ ।  ବର୍ଷ 2014 ଲୋକସଭା ନିର୍ବାଚନରେ ବିଶାଳ ବିଜୟ ପରେ ଅମିତ ଶାହାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ବଡ଼ ବଡ଼ ଉପଲବ୍ଧି ହାସଲ କରିଛି । କ୍ରମାଗତ ଭାବେ ବିଧାନସଭା ନିର୍ବାଚନରେ ବିଜୟ, 2019 ଲୋକସଭାରେ ବିଜୟ କାରଣରୁ ଅମିତ ଶାହାଙ୍କୁ ବର୍ତ୍ତମାନ ସମୟର ଚାଣକ୍ୟ କୁହାଯାଉଛି । ଏମିତିରେ ବି ଶାହାଙ୍କ ୫ ବର୍ଷର କାର୍ଯ୍ୟକାଳ ଶେଷ ହୋଇଯାଇଛି । 

Spread the love