ଗଜପତି ଜିଲ୍ଲାରୁ ନେଇ ଦିଲ୍ଲୀରେ ଯୁବତୀଙ୍କୁ ବିକ୍ରି

ଜଣେ ଯୁବତୀଙ୍କୁ ଘରୁ ନେଇ ଦିଲ୍ଲୀରେ ବିକ୍ରି କରିବା ସହ ତାର ବିବାହ କରାଇଦେବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜ଼ିଲ୍ଲା ମାଣିକପୁର ଗ୍ରାମରୁ, ଯୁବତୀ ଜଣକ ମାଣିକପୁର ଗ୍ରାମର ପଞ୍ଚୁ ଶବରଙ୍କ ଝିଅ ଶଶୀ ଶବର (୧୮) ବୋଲି ଜଣାପଡିଛି।  ପଞ୍ଚୁଙ୍କ ଅଭିଯୋଗ ପ୍ରକାରେ ମୋହନା ପୋଲିସ ଥାନା କେସ୍ ନଂ ୧୫୦/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସକୁ ଦିଆଯାଇଥିବା ଏତଲା ପ୍ରକାରେ ମାଣିକପୁର ଗ୍ରାମର ସୁଧୀର ପାଇକଙ୍କ ଘରକୁ ଗଞ୍ଜାମ ଜିଲ୍ଲା କୁରୁବା ଗ୍ରାମର ସୁଭଦ୍ରା ନାମକ ଜଣେ ମହିଳା ଅନେକ ସମୟରେ ଆସନ୍ତି । ଗତ ୧୧ ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ସୁଭଦ୍ରା ମାଣିକପୁର ଆସିଥିଲେ।

ସେହିସମୟରେ ପଞ୍ଚୁଙ୍କ ଘରେ ଝିଅ ଶଶୀଙ୍କ ସମେତ ତିନି ଛୋଟିଆ ପୁଅ ଏବଂ ପଞ୍ଚୁଙ୍କ ବୁଢ଼ୀ ମା ଥିଲେ, ତେଵେ ପଞ୍ଚୁ କୌଣସି କାର୍ଯ୍ୟରେ ନିଜ ଶଶୁର ଘର ଗ୍ରାମ ତେନ୍ତୁଳୀଖୁଣ୍ଟି ଚାଲିଯାଇଥିଲେ।  ଘରେ କେହି ନଥିବାର ସୁଯୋଗ ନେଇ ସୁଭଦ୍ରା ଶଶୀକୁ ନିଜ ସାଙ୍ଗରେ ନେଇଯାଇଥିଲେ ଏଥିରେ ସୁଧୀର ତାଙ୍କୁ ସହଯୋଗ ମଧ୍ୟ କରିଥିଲେ।  ଗତ ୧୬ ତାରିଖରେ ପଞ୍ଚୁ ଘରକୁ ଫେରିବା ପରେ ଝିଅକୁ ଖୋଜା ଖୋଜି କରିଥିଲେ।  ପରେ ସେହିଦିନ ହିଁ ଝିଅ ଶଶୀ ମାଣିକପୁର ଅଙ୍ଗନୱାଡି ଦିଦି ମମତା ଭୂୟାଁଙ୍କୁ ଫୋନ୍ କରି ସୁଭଦ୍ରା ତାକୁ ଘରୁ ନେଇଯିବା ସହ ଜୋର୍ ଜବରଦସ୍ତ ଦିଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ କରେଇଦେଇଥିବା କହିଥିଲା ।

ଏହାସହ ସୁଭଦ୍ରା ବ୍ରହ୍ମପୁର ଅଞ୍ଚଳରୁ ଅନ୍ୟ ଜଣେ ଝିଅକୁ ଆଣିବା ପାଇଁ ଯାଇଥିବା କହିଥିଲା। ପରେ ସୁଧୀରର ପୁତୁରା ରଞ୍ଜିତର ମୋବାଇଲକୁ ସୁଭଦ୍ରା ଶଶୀର କିଛି ବିବାହ ଫୋଟ ପ୍ରେରଣ କରିଥଲା। ସମସ୍ତ ଘଟଣା ଜାଣିବା ପରେ ପଞ୍ଚୁ ଶବର ମୋହନା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ IPCର ଧାରା ୩୬୩ ଅପହରଣ, ୩୬୬ ବିବାହ କରାଇବା ଉଦ୍ଦେଶ୍ୟରେ ଅପହରଣ  ଭଳି ସଙ୍ଗୀନ ଦଫା ଲଗାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ସୁଭଦ୍ରା ର ସହଯୋଗୀ ସୁଧୀର ର ମଧ୍ୟ ଘଟଣା ପରଠୁ ଫେରାର୍ ରହିଛି । ତେଵେ ମୋହନା ଅଞ୍ଚଳ ରେ ଏହା ନୁଆଁ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରଲୋଭନ ଦେଖାଇ ଅଞ୍ଚଳର ଗରିବ ନିରୀହ ଆଦିବାସୀ ଶ୍ରେଣୀର ଯୁବତୀ ଏବଂ ନାବାଳିକା ମାନଙ୍କୁ ବାହାର ରାଜ୍ୟ କୁ ଦଲାଲ୍ ମାନେ ଚାଲାଣ କରୁଥିବା ର ନଜିର ରହିଛି । ଅତିଶୀଘ୍ର ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏଭଳି ସମସ୍ୟାର ନିରାକରଣ କରିବା ସହ ଦଲାଲ୍ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଚାଲାଣ ହୋଇଥିବା ଯୁବତୀ ଏବଂ ନାବାଳିକା ମାନଙ୍କୁ ଉଦ୍ଧାର କରିବା ପାଇଁ ସାଧାରଣରେ ଦାବି ହୋଇଛି।

Spread the love