ବଢ଼ିଲା ଯୁଦ୍ଧ ଆଶଙ୍କା, ୟୁକ୍ରେନ ଦୂତାବାସ ଖାଲିକରିବାକୁ କର୍ମଚାରୀ ଓ ପରିବାରଙ୍କୁ ଆମେରିକାର ଆଦେଶ

ୱାସିଂଟନ/ଲଣ୍ଡନ ୨୪।୧: ୟୁକ୍ରେନରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୂତାବାସର ସମସ୍ତ କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ସ୍ୱଦେଶ ଫେରିଆସିବା ଲାଗି ଆମେରିକା ସୋମବାର କହିଛି। ସେପଟେ ବ୍ରିଟେନ ମଧ୍ୟ ନିଜ ରାଷ୍ଟ୍ରଦୂତଙ୍କୁ ଦୂତାବାସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଉପୁଜିଥିବା ପରିସ୍ଥିତିରେ ୟୁକ୍ରେନରେ ଅବସ୍ଥାନ ଏବେ ସମ୍ଭବ ନୁହେଁ ବୋଲି ରାଷ୍ଟ୍ରଦୂତ, କର୍ମଚାରୀ ଓ ସେଠାରେ ଅବସ୍ଥାନ କରୁଥିବା ତାଙ୍କ ଆଶ୍ରିତ ପରିବାରକୁ କହିଛି ଆମେରିକା ।

ଏଥିରେ ଦୂତାବାସରେ କାର୍ଯ୍ୟ କରୁଥିବା ଅଣ ଜରୁରି କର୍ମଚାରୀଙ୍କୁ ମଧ୍ୟ ସରକାରୀ ଖର୍ଚ୍ଚରେ ଆମେରିକା ପଳେଇ ଆସିବାକୁ କୁହାଯାଇଛି। ଏଥିରେ ଋଷିଆର ୟୁକ୍ରେନ ଆକ୍ରମଣ ଚେତାବନୀରେ ବ୍ରିଟେନ ମଧ୍ୟ ଦୂତାବାସ କର୍ମଚାରୀଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି। ତେବେ ଉପୁଜିଥିବା ପରିସ୍ଥିତିରେ ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍‌ ଏଣ୍ଟନୀ ବ୍ଲିଙ୍କେନ ଗତ ଶୁକ୍ରବାର  ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଙ୍କ ସହ ଉତ୍ତେଜନା ହ୍ରାସ ଲାଗି ଆଲୋଚନା କରିଥିଲେ। ତେବେ ଏଥିରୁ ଆଶା କରାଯାଉଥିବା ସଫଳତା ମିଳି ନଥିବା ବେଳେ ଆମେରିକା ସତର୍କତା ସ୍ୱରୂପ ଦୂତାବାସ ଖାଲି କରାଇବାକୁ ପଦକ୍ଷେପ ନେଇଛି।

ତେବେ ଦୂତାବାସରୁ କର୍ମଚାରୀଙ୍କୁ ଫେରାଇ ନେଉଥିଲେ ମଧ୍ୟ ୟୁକ୍ରେନ ପ୍ରତି ଆମେରିକାର ସମର୍ଥନ ହ୍ରାସ ହେବନି ବୋଲି ବ୍ଲିଙ୍କେନ ପ୍ରତିଶ୍ରୁତି ଦେଇଛନ୍ତି।  ୟୁକ୍ରେନରେ ବ୍ରିଟିଶ କୂଟନୀତିଜ୍ଞଙ୍କ ଲାଗି ସେପରି କୌଣସି ବିପଦର ଏବେ ଆଶଙ୍କା କରାଯାଉନି। ଏଣଉ ଉପୁଜିଥିବା ପରିସ୍ଥିତିରେ ସେଠାରୁ ଅଧା କର୍ମଚାରୀଙ୍କୁ ବାହାର କରି ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କେବଳ ରାଜଧାନୀ କୈଭରେ କାର୍ଯ୍ୟରତ କର୍ମଚାରୀ ଫେରିବେ ବୋଲି ଜଣାପଡିଛି।

Spread the love