ଜୁନ୍ ୩୦ ରାତିରୁ ଜୁଲାଇ ୨ ଯାଏଁ ପୁରୀରେ କର୍ଫ୍ୟୁ

ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତିରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ। କର୍ଫ୍ୟୁ ସମୟରେ ଜିଲ୍ଲାରେ ଲୋକଙ୍କର ଯାତାୟତ ଉପରେ ନଜର ରଖାଯିବ। ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ।

ସେହିପରି ଜିଲ୍ଲା ପ୍ରଶାସନ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କଟକଣା ଲାଗୁ କରିଛି। ଏହି ୪ ଦିନ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କୁ ନରଖିବାକୁ ହୋଟେଲ ଓ ଲଜ୍‌ ମାଲିକମାନଙ୍କୁ ନିର୍ଦ୍ଦେଶ ହୋଇଛି। ବଡ଼ଦାଣ୍ଡରେ ଥିବା ବ୍ୟକ୍ତିଗତ ଘର, ଧାର୍ମିକ ଅନୁଷ୍ଠାନର ସର୍ଭେ ହେବ। ଲୋକେ ନିଜ ଘରେ କେବଳ ନିଜେ ରହିପାରିବେ। ବାହାର ଲୋକଙ୍କୁ ଘରେ ରଖିପାରିବେ ନାହିଁ। ଜିଲ୍ଲାପାଳ ଶ୍ରୀ ସିଂହ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ ଘରେ ରହି ପ୍ରଭୁଙ୍କ ଦର୍ଶନ କରନ୍ତୁ।

ବାହୁଡ଼ା ଯାତ୍ରା ଉପଲକ୍ଷେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରାଶସନ ଏହି ନେଇଛି। ଜୁଲାଇ ୧ ତାରିଖରେ ବାହୁଡ଼ା ଯାତ୍ରା ଥିବାରୁ ଭକ୍ତଙ୍କ ଭିଡ଼କୁ ରୋକିବା ଲକ୍ଷ୍ୟରେ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଅନ୍ୟପଟରେ ବାହୁଡ଼ା ଯାତ୍ରାରେ ଯେଉଁ ସେବାୟତମାନେ ସାମିଲ ହେବେ ସେମାନଙ୍କର କୋଭିଡ ନମୁନା ପରୀକ୍ଷା ଜାରି ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread the love