ଜୁଲାଇରେ ସ୍ୱାଭାବିକ ବର୍ଷା ପୂର୍ବାନୁମାନ : ଦକ୍ଷିଣ ଓଡ଼ିଶାରେ ହୋଇପାରେ ଅତ୍ୟଧିକ ବର୍ଷା
ଭୁବନେଶ୍ୱର: ବିଳମ୍ବିତ ମୌସୁମୀ ପାଇଁ ଜୁନ୍ ମାସରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ହେଲେ ଜୁଲାଇରେ ରାଜ୍ୟ ଓ ଦେଶରେ ସ୍ୱାଭାବିକ ବର୍ଷା ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନ ସହ ସଂଲଗ୍ନ ଅଞ୍ଚଳ, ପୂର୍ବ ଭାରତ ସହ ଉତ୍ତର ପୂର୍ବ ଓ ଉତର ପଶ୍ଚିମ ଭାରତର କିଛି କିଛି ଅଞ୍ଚଳରେ ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ।
ଦକ୍ଷିଣ ଓଡ଼ିଶାରେ ସବୁଠୁ ଅଧିକ ବର୍ଷା ହୋଇପାରେ । ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଅଞ୍ଚଳରେ ସ୍ୱାଭାବିକରୁ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ବାଲେଶ୍ୱର, ଭଦ୍ରକରେ ମଧ୍ୟ ଭଲ ବର୍ଷା ହୋଇପାରେ । ଉପକୂଳରେ ବର୍ଷା ପରିମାଣ ସ୍ୱାଭାବିକ ରହିପାରେ । ତେବେ ରାଜ୍ୟର କିଛି କିଛି ଅଂଚଳରେ ଜୁଲାଇରେ ନିଅଂଟିଆ ବର୍ଷା ସମ୍ଭାବନା ରହୁଥିବାରୁ ଜୁନର ନିଅଣ୍ଟିଆ ସ୍ଥିତି ଜୁଲାଇରେ ଭରଣା ହେବା ନେଇ ସନ୍ଦେହ ଉପୁଜିଛି ।