୬୦ବର୍ଷ ପରେ ପୂରଣ ହେବ ସ୍ବପ୍ନ: ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ମଞ୍ଜୁରି

ନବରଙ୍ଗପୁର : ବହୁ ପ୍ରତୀକ୍ଷିତ ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ମଞ୍ଜୁରି ଦେଇଛନ୍ତି କେନ୍ଦ୍ର ସରକାର। ପିଏମ୍‌ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍‌ ଅଧୀନରେ ଥିବା ଏନ୍‌ପିଜିର ଅଧିବେଶନରେ ୧୧୬କିମି ବିଶିଷ୍ଟ ବ୍ରଡ-ଗଜ୍ ଲାଇନ୍‌କୁ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁମତି ଦିଆଯାଇଛି। ଯାହାଫଳରେ ବା‌ଇଲାଡିଲା ଲୁହାପଥର ଖଣିରୁ ଛତିଶଗଡ଼ର ରାୟପୁର ଅଞ୍ଚଳରେ ଥିବା ବିଭିନ୍ନ ଇସ୍ପାତ କାରାଖାନାକୁ ଦୂରତା ୧୩୧କିଲୋମିଟର ପର୍ଯ୍ୟନ୍ତ ହ୍ରାସ ପାଇବ। ଏହା ବ୍ୟତୀତ ଜୁନାଗଡ଼, ଜୟପୁର ଓ କୋରାପୁଟରେ ବହୁମୁଖୀ ପଣ୍ୟ ସୁବିଧା କେନ୍ଦ୍ର ସ୍ଥାପନ ହେବ। ନୂତନ ରେଳପଥକୁ ବିଶଖାପାଟଣା, ଗଙ୍ଗାଭରମ ଓ କାକିନାଡାର ବିଭିନ୍ନ ବନ୍ଦରରୁ କୋଇଲା ପରିବହନ ପାଇଁ ବକଳ୍ପ ମାର୍ଗ ଭାବେ ମଧ୍ୟ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି।

ଗତବର୍ଷ ଏପ୍ରିଲ ମାସରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଲକାନାଗିରି ଗସ୍ତ ସମୟରେ ହିଁ ଜୟପୁର-ନବରଙ୍ଗପୁର ରେଳପଥ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ ହେବ ବୋଲି ଘୋଷଣା କରିଥିଲେ। ସେହି ସମୟରେ ହିଁ ରେଳପଥର ନକ୍ସା ପ୍ରସ୍ତୁତ ହୋଇସାରିଥିଲା। ନକ୍ସା ଅନୁସାରେ ରେଳପଥ ଜୁନାଗଡ଼ରୁ କୋକସରା, ଆମପାଣି ଘାଟି ଦେଇ ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ କରିବ। ସେଠାରୁ ବୋରିପଦର, ଧନସୁଲି, ପାପଡାହାଣ୍ଡି ଦେଇ ନବରଙ୍ଗପୁରରେ ପହଞ୍ଚିବ। ନବରଙ୍ଗପୁରରୁ ଜୁନାଗଡ଼ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥ ସହ ସମାନ୍ତରାଳ ଭାବେ ଏହି ରେଳପଥ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏହି ରେଳପଥ ରାଜଧାନୀ ଭୁବନେଶ୍ବର, ଆନ୍ଧ୍ରର ବିଶାଖାପାଟଣା ଓ ଛତିଶଗଡ଼ର ରାୟପୁରକୁ ମଧ୍ୟ ବାଟ ଫିଟାଇବ ବୋଲି ଜଣାପଡ଼ିଛି।

ପୂର୍ବତନ ସାଂସଦ ବଳଭଦ୍ର ମାଝୀ କହିଛନ୍ତି, ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନାଗିରି ରେଳପଥ ପାଇଁ ରାଜ୍ୟ ସରକାର ଜମି ଦେବାରେ ବିଫଳ ହୋଇଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ଉପରେ ନିର୍ଭର ନକରି କେନ୍ଦ୍ର ସରକାର ନିଜ ଖର୍ଚ୍ଚରେ ଜମି ଅଧିଗ୍ରହଣ ସହ ରେଳପଥ ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଲାଇନ୍‌ମେଣ୍ଟ ପାଇଁ ସର୍ଭେ ସରି ଡିପିଆର ପ୍ରସ୍ତୁତ ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। କେନ୍ଦ୍ର ସରକାର ଏହି ବହୁ ପ୍ରତୀକ୍ଷିତ ରେଳପଥ ନିମନ୍ତେ ପ୍ରକ୍ରିୟା ଗୁଡ଼ିକୁ ତ୍ବରାନ୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ବିଶ୍ବେଶ୍ବର ଟୁଡୁଙ୍କୁ ଶ୍ରୀ ମାଝୀ କୃତଜ୍ଞତା ଜଣାଇଛନ୍ତି।

ସୂଚନା‌ଯୋଗ୍ୟ, କଳାହାଣ୍ଡି ଜିଲ୍ଲା ସହ ନବରଙ୍ଗପୁର ଜିଲ୍ଲାକୁ ‌ରେଳପଥରେ ସଂଯୋଗ କରିବାକୁ ୧୯୬୨ ମସିହାରେ ପ୍ରଥମେ ଉଦ୍ୟମ ଆରମ୍ଭ ହୋଇଥିଲା। ତତ୍କାଳୀନ କଳାହାଣ୍ଡି ସାଂସଦ ମହାରାଜା ପ୍ରତାପ କେଶରୀ ଦେଓଙ୍କ ସମୟରେ ରେଳପଥ ପାଇଁ ସର୍ଭେ ମଧ୍ୟ ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ଶୀତଳଭଣ୍ଡାରକୁ ଚାଲିଯାଇଥିଲା। ପୁଣି ୧୯୯୧ ମସିହାରେ ତତ୍କାଳୀନ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ ରେଳ ରାଷ୍ଟ୍ର ମନ୍ତ୍ରୀ ହେବାପରେ ଜୁନାଗଡ଼ ଠାରୁ ନବରଙ୍ଗପୁର ଦେଇ ଆମ୍ବାଦଳ ପର୍ଯ୍ୟନ୍ତ ରେଳପଥ ନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ବିଶେଷ ଅଗ୍ରଗତି ହୋଇପାରିନଥିଲା। ବିଭିନ୍ନ ୬୦ବର୍ଷ ଧରି ବିଭିନ୍ନ କାରଣରୁ ଅଟକି ରହିଥିବା ଏହି ପ୍ରକଳ୍ପ ଶେଷରେ ବାସ୍ତବ ରୂପ ନେବାକୁ ଯାଉଥିବାରୁ ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲା ମଧ୍ୟ ଅର୍ଥନୈତିକ ଏବଂ ସାମାଜିକ ସଂପର୍କ ଅଧିକ ନିବିଡ଼ ହେବ ବୋଲି କୁହାଯାଉଛି।

Spread the love