ସିନେମା ଜଙ୍ଗଲ କ୍ରାଏ ଏବେ ଓସ୍କାର ଦୌଡ଼ରେ
ଓସ୍କାର ଦୌଡ଼ରେ ଜଙ୍ଗଲ କ୍ରାଏ। କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍ କିସ୍ର ଆଦିବାସୀ ଛାତ୍ରଙ୍କ ସାହସିକ ଯାତ୍ରାର ସତ ଘଟଣା ଉପରେ ସିନେମା ଜଙ୍ଗଲ କ୍ରାଏ। କିସ୍ ୧୪ ବର୍ଷରୁ କମ୍ ରଗବୀ ଦଳ ସବୁ ପ୍ରକାର ବାଧାବିଘ୍ନ ସତ୍ୱେ ଅସମ୍ଭବକୁ ସମ୍ଭବ କରି ଦେଇଖାଇଥିଲେ। ଏହି ଦଳ ୨୦୦୭ରେ ଇଂଲଣ୍ଡରେ ୧୪ ବର୍ଷରୁ କମ୍ ରଗ୍ବୀ ବିଶ୍ୱକପ୍ ବିଜୟୀ ହୋଇଥିଲେ। ଏହି ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ଜଙ୍ଗଲ କ୍ରାଏ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି । ମଙ୍ଗଳବାର ନାମାଙ୍କନ ଘୋଷଣା ପରେ ଏହା ସ୍ପଷ୍ଟ ହେବ । ମାର୍ଚ୍ଚ ୧୨ ତାରିଖରେ ହଲିଉଡ୍ ଡଲ୍ବି ଥିଏଟରରେ ପ୍ରଦର୍ଶିତ ହେବାକୁ ଥିବା ୯୫ତମ ଏକାଡେମୀ ଆୱାର୍ଡ ପାଇଁ ଜଙ୍ଗଲ କ୍ରାଏ ପକ୍ଷରୁ ସମସ୍ତ ବିଭାଗରେ ଆନୁଷ୍ଠାନିକ ଭାବେ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି।
କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଜୀବନୀକୁ ନେଇ ଏହି ସିନେମା। ଡ. ସାମନ୍ତ ବିନାଦେୟରେ ସମସ୍ତ ସୁବିଧା ଯୋଗାଇ କିଭଳି ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କୁ ରଗ୍ବୀରେ ବିଶ୍ୱ ଚାମ୍ପିଅନ୍ କରାଇପାରିଛନ୍ତି ତା ଉପରେ ଚଳଚ୍ଚିତ୍ରଟି ପର୍ଯ୍ୟବେସିତ। ସଂଯୋଗବଶତଃ କିସ୍ ଛାତ୍ର ତଥା ସେତେବେଳର କିସ୍ ରଗ୍ବୀ ଦଳର ଖେଳାଳି ଏବଂ ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଜ୍ୱାଇଁ ଗଣେଶ ହେମ୍ବ୍ରମ୍ ଏହି ଚଳଚ୍ଚିତ୍ରର ମୁଖ୍ୟ ପ୍ରେରଣା ଥିଲେ।
ପ୍ରଶାନ୍ତ ଶାହ, ଯଶୱନ୍ତ ସିଂହ ଓ ସବିର୍ ବକ୍ସୱାଲାଙ୍କ ପ୍ରଯୋଜିତ ଓ ସାଗର ବାଲାରିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭୟ ଦେଓଲ, ଏମିଲି ଶାହ, ଅତୁଲ କୁମାର, ଷ୍ଟେଓର୍ଟ ରାଇଟ ଏବଂ ଜୁଲିଆନ୍ ଲେୱିସ୍ ଜୋନ୍ସ ପ୍ରମୁଖ ଅଭିନୟ କରିଛନ୍ତି। ଉଭୟ ଇଂଲଣ୍ଡ ଓ ଭାରତରେ ଏହାର ସୁଟିଂ ହୋଇଥିଲା । ଇତି ମଧ୍ୟରେ ଦେଶ ବିଦେଶରେ ବହୁ ସମ୍ମାନ ଓ ପୁରସ୍କାର ପାଇ ସାରିଛି ଜଙ୍ଗଲ କ୍ରାଏ। ସ୍ୱିଡେନ୍ ଚଳଚ୍ଚିତ୍ର ପୁରସ୍କାର ୨୦୨୧କୁ ଅଫିସିଆଲ ନୋମିନେସ ପାଇଥିଲା। ମାଇକୋନୋସ୍ ଫିଲ୍ମ ଫେଷ୍ଟିଭାଲ, କାନ୍ସ ୱାର୍ଲଡ୍ ଫିଲ୍ମ ଫେଷ୍ଟିଭାଲ-୨୦୨୧ର ଅନେକ କ୍ୟାଟେଗୋରୀରେ ପୁରସ୍କୃତ ହୋଇଛି ଏହି ସିନେମା। ଏକାଦଶ ଦାଦା ସାହେବ ଫାଲ୍କେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଶ୍ରେଷ୍ଠ ସିନେମା ଜୁରୀ କ୍ୟାଟାଗୋରୀରେ ପୁରସ୍କୃତ ହୋଇସାରିଛି।.