ଚୁଇଂଗମ୍‌ ଚୋବାଇବାଲେ କ୍ଷୁଧା କମିଯାଏ କିପରି, ଆସନ୍ତୁ ଜାଣିବା…

ବେଳେ ବେଳେ ଅସମୟରେ ଅଧିକାଂଶ ଲୋକଙ୍କୁ ଜଙ୍କ୍‌ଫୁଡ୍‌ ଖାଇବାକୁ ଇଚ୍ଛା ହୁଏ। ତେବେ ଜଙ୍କ୍‌ଫୁଡ୍ ଖାଇବାର ଇଚ୍ଛାକୁ ପ୍ରଶମିତ କରିଥାଏ ଚୁଇଂଗମ୍। କେବଳ ସେତିକି ନୁହେଁ, ଅବସାଦ ଓ ଉଦ୍‌ବେଗକୁ ମଧ୍ୟ ଏହା କମ୍ କରେ। ଚୁଇଂଗମ୍‌ ଖାଉ ନଥିବା ଲୋକଙ୍କ ତୁଳନାରେ ଯେଉଁ ଲୋକମାନେ ୪୫ ମିନିଟ୍ ପର୍ଯ୍ୟନ୍ତ ସକାଳେ ଓ ଅପରାହ୍ଣରେ ଚୁଇଂଗମ୍‌ ଚୋବାଇ ଥିଲେ ସେମାନଙ୍କଠାରେ ଭୋକ, ଖାଦ୍ୟ ଖାଇବାର ଆସକ୍ତି, ତଥା ସ୍ନାକ୍ସ ଖାଇବା ପ୍ରତି ଆଗ୍ରହ କମ୍ ପରିଲକ୍ଷିତ ହୋଇଥିଲା ବୋଲି ୨୦୦୯ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା। ସେହିପରି ୨୦୧୧ରେ କରାଯାଇଥିବା ଅନ୍ୟ ଏକ ଅଧ୍ୟୟନରୁ ମଧ୍ୟ ଏହି ସମାନ କଥା ସାମ୍ନାକୁ ଆସିଥିଲା। ତା’ସହ ଅଧିକ ଶର୍କରା ଯୁକ୍ତ ଖାଦ୍ୟ ଖାଇବା ଆସକ୍ତି ଚୁଇଂଗମ୍‌ କମ୍‌ କରୁଥିବା ଏଥିରୁ ଜଣାପଡ଼ିଥିଲା।

୨୦୧୬ରେ ଇଟିଂ ବିହେବିୟର୍‌ ଜର୍ଣ୍ଣାଲ ଅନୁସାରେ, ଚୁଇଂଗମ୍‌ ଚୋବାଇବା ଦ୍ବାରା ମିଠା ତଥା ଲୁଣି ସ୍ନାକ୍ ଖାଇବା ଆସକ୍ତି କମ୍ ହୋଇଥାଏ। ଏହାସହ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସେ। ତେବେ ଚୁଇଂଗମ୍‌ ଚୋବାଇବା ପ୍ରକ୍ରିୟାରେ ଲାଳ ଓ ଡାଇଜେସଟିଭ୍ ଏନ୍‌ଜାଇମ୍‌ କ୍ଷରଣ ଉତ୍ତେଜିତ ହୁଏ। ଫଳରେ କ୍ଷୁଧା କମାଇବାରେ ଏହା ସାହାଯ୍ୟ କରେ। ସେହିପରି ବିଭିନ୍ନ ପ୍ରକାର ଚୁଇଂଗମ୍‌ ବଜାରରେ ଉପଲବ୍ଧ। ନିତିଦିନ ଯେଉଁ ଚୁଇଂଗମ୍‌ ଖାଆନ୍ତି, ତାହାକୁ ଚୋବାଇବା ମଧ୍ୟ ଉତ୍ତମ। ତେବେ ସୁଗାର ଫ୍ରି ଚୁଇଂଗମ୍‌ ସବୁଠୁ ଭଲ। ସେହିପରି ଖାଦ୍ୟ ଖାଇବାର କିଛି ସମୟ ପୂର୍ବରୁ ଏହାକୁ ଚୋବାଇବା ଉଚିତ। ଏହାବାଦ୍ ଖାଦ୍ୟ ଖାଇସାରିବା ପରେ ମଧ୍ୟ ଚୁଇଂଗମ୍‌ ଚୋବାଇଲେ ତାହା ଖାଦ୍ୟ ହଜମରେ ସାହାଯ୍ୟ କରେ।

Spread the love