ନକଲି ଟୁଇଟର ଆକାଉଣ୍ଟକୁ ନେଇ ଏତଲା ଲେଖାଇଲେ ପ୍ରଧାନ ବିଚାରପତି ଏନ୍ ଭି ରମଣା

ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ତାଙ୍କ ନାଁରେ ନକଲି ବାର୍ତ୍ତା ପୋଷ୍ଟ କରୁଥିବା ଦେଖିବାକୁ ମିଳିବା ପରେ ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣା ଆଜି ଅପରାହ୍ନରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ପ୍ରଧାନ ବିଚାରପତି ଏନ.ଭି ରମଣା ସ୍ପଷ୍ଟ କରିଛନ୍ତି ଯେ, ସେ କୌଶସିି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନାହାନ୍ତି। ତାଙ୍କର କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ନାହିଁ। ତେବେ ତାଙ୍କ ନାଁରେ କେହି ନକଲି ଟୁଇଟର ଆକାଉଣ୍ଟ ଖୋଲି ମିଥ୍ୟା ଖବର ଟୁଇଟ କରୁଥିବା ଦେଖିବାକୁ ମିଳିଥିଲା। ଏହା ଜାଣିବା ପରେ ସେ ତୁରନ୍ତ ଏତଲା ଲେଖାଇବା ସହ ସାଇବର ଟିମ ତୁରନ୍ତ ଆକାଉଣ୍ଟକୁ ହଟାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଥିଲେ ଜଷ୍ଟିସ୍ ଏନ୍ ଭି ରମଣା । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥପାଠ କରାଇଥିଲେ। ସେ ୨୦୨୨ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ଦାୟିତ୍ୱରେ ରହିବେ।ଜଷ୍ଟିସ୍ ଏନ ଭି ରମଣା ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପଦେଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରେ ଶିଳ୍ପ ଓ କୃଷିପ୍ରତି ଆଗ୍ରହ ପ୍ରକାଶ କରୁଥିବା ବେଳେ ଶିକ୍ଷାପରେ ସେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏକ ତେଲୁଗୁ ଖବର କାଗଜରେ ସାମ୍ବାଦିକତା କରୁଥିଲେ । ଏହାପରେ ସେ ଓକିଲାତି ପଢି ପ୍ରଥମେ ୧୯୮୩ ମସିହା ଏପ୍ରିଲ ୧୦ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୦ ମସିହା ଜୁନ ୨୭ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ଦିଲ୍ଲୀ ହାଇକୋର୍ଟ ଓ ୨୦୧୪ ମସିହା ଫେବୃଆରୀ ୧୭ ତାରିଖରେ ସୁପ୍ରିମକୋର୍ଟର ଜଜ୍ ଭାବେ ନିଯୁକ୍ତ ହୋଇଥିଲେ ।

Spread the love