ସମ୍ପତ୍ତି ପାଇଁ ଶ୍ୱଶୂରକୁ ମାରିଦେଲା ଜ୍ୱାଇଁ

ଢେଙ୍କାନାଳ, ୨୦/୦୬ :  ଶ୍ୱଶୁର ଘର ସମ୍ପତ୍ତି ବିବାଦରୁ ହତ୍ୟାକାଣ୍ଡ ।  ଶୋଇଥିବା ବେଳେ ଶ୍ୱଶୁରକୁ ପିଟିପିଟି ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ପାତ୍ରଭାଗ ଗ୍ରାମରେ  । ପୋଲିସ ଏହି ହତ୍ୟାକାଣ୍ଡରେ ଜ୍ବାଇଁକୁ ଗିରଫ କରିଛି ।

ସୂଚନାନୁସାରେ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପାତ୍ରଭାଗ ଗ୍ରାମରେ ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ପାତ୍ରଭାଗ ବିଲିସାହିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବୃଦ୍ଧ ଜଣଙ୍କ ପାତ୍ରଭାଗ ବିଲିସାହିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି ।ସମ୍ପତ୍ତିକୁ ନେଇ ପୂର୍ଣ୍ଣଚନ୍ଦ୍ରଙ୍କ ସହ ତାଙ୍କ  ଝିଅ ଜ୍ବାଇଁଙ୍କର ବିବାଦ ଲାଗିଥିଲା । ତେବେ ତାଙ୍କ ଝିଅ ଜ୍ବାଇଁ ଆସି ଘରେ ରହିଥିବାବେଳେ ଶନିବାର ରାତିରେ ସମସ୍ତେ ଶୋଇଥିଲେ । ମାତ୍ର ରବିବାର ଭୋର ସମୟରେ ପୂର୍ଣ୍ଣଚନ୍ଦ୍ର ଶୋଇଥିବା ଘରୁ ପାଟିତୁଣ୍ଡ ଶୁଭିଥିଲା  । ଏପରିକି ତାଙ୍କୁ ମାଡ଼ପିଟ ହେଉଥିବା ଶବ୍ଦ ଶୁଣି ପୁଅ ପରେଶ ଉଠିବା ବେଳକୁ ତାଙ୍କୁ ବହାରପଟୁ କିଏ କବାଟ ଦେଇ ଦେଇଥିଲେ। ପରେ କୌଣସିମତେ ଖୋଲି ବହାରିବାପରେ ପୂର୍ଣ୍ଣଚନ୍ଦ୍ର  ମୁର୍ମୁଶୁ ଆବସ୍ଥାରେ ପଡିଥିବା ଦେଖିଥିଲେ ପୁଅ ପରେଶ। ପରେ ଆମ୍ବୁଲାନ୍ସ ଡକାଇ ଢେଙ୍କାନାଳ ମୁଖ୍ୟ ଡକ୍ଟରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ମୃତ ପୂର୍ଣଚନ୍ଦ୍ରଙ୍କ ପୁଅ ପ୍ରକାଶ କରିଛନ୍ତି । ଏହି ଘଟଣାରେ ସଦର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏପରିକି  ଏହି ହତ୍ୟାକାଣ୍ଡ ଘଟଣାରେ ପୂର୍ଣ୍ଣ ଚନ୍ଦ୍ରଙ୍କ ଜ୍ବାଇଁ ଗିରିଷ ଦେହୁରୀଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି ।

Spread the love