ଇତିହାସ ରଚିଲେ କେ. ଶ୍ରୀକାନ୍ତ : ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ ଫାଇନାଲରେ ପହଁଚିଲେ

ନୂଆଦିଲ୍ଲୀ,୧୯/୧୨: ଭାରତର ଅଭିଜ୍ଞ ଖେଳାଳି କେ. ଶ୍ରୀକାନ୍ତ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଚଳିତ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିଅନସିପ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶନିବାର ଅନୁଷ୍ଠିତ ସେମି ଫାଇନାଲ୍‌ରେ ଶ୍ରୀକାନ୍ତ ୧୭-୨୧, ୨୧-୧୪, ୨୧-୧୭ ଗେମ୍‌ରେ ଲକ୍ଷ୍ୟ ସେନଙ୍କୁ ପରାସ୍ତ କରିଥିଲେ । ଏଥିସହିତ ଶ୍ରୀକାନ୍ତ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ବିଶ୍ୱ ଚାମ୍ପିଅନସିପ୍‌ ଫାଇନାଲ୍‌ରେ ପହଞ୍ଚି ଇତିହାସ ରଚିଛନ୍ତି ।

ଅନ୍ୟ ପଟରେ ଲକ୍ଷ୍ୟ ପଦାର୍ପଣରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।ସେମି ମୁକାବିଲାରେ ଦୁଇ ଭାରତୀୟ ଶ୍ରୀକାନ୍ତ ଓ ଲକ୍ଷ୍ୟ ପରସ୍ପରକୁ ଭେଟିଥିଲେ । ମ୍ୟାଚ୍‌କୁ ନେଇ ଭାରତୀୟ ପ୍ରଶଂସକ ବେଶ୍‌ ଉତ୍ସାହିତ ରହିଥିଲେ । ଅନ୍ତର୍ଜାତୀୟ ସ୍ତରରେ ପ୍ରଥମଥର ଉଭୟ ସାମ୍ନାସାମ୍ନି ହୋଇଥିଲେ । ପ୍ରଥମ ଗେମ୍‌ରୁ ହିଁ ପ୍ରତି ପଏଣ୍ଟ ପାଇଁ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ୨୦ ବର୍ଷୀୟ ଲକ୍ଷ୍ୟ ପ୍ରଭାବୀ ପ୍ରଦର୍ଶନ କରି ଏକଦା ୧୪-୧୧ରେ ଅଗ୍ରଣୀ ହାସଲ କରିଥିଲେ । ଶ୍ରୀକାନ୍ତ ପ୍ରତ୍ୟାବର୍ତ୍ତନ କରି ସ୍ଥିତି ୧୬-୧୬ରେ ବରାବର କରିଥିଲେ । ଏହାପରେ ଲକ୍ଷ୍ୟ କୌଣସି ତ୍ରୁଟି ନକରି ୨୧-୧୭ରେ ପ୍ରଥମ ଗେମ୍‌ ଅକ୍ତିଆର କରିଥିଲେ । ଦ୍ୱିତୀୟ ଗେମ୍‌ରେ ସେ ପ୍ରଥମରୁ ୮-୪ରେ ଆଗୁଆ ରହିଥିଲେ । ସେ ସହଜରେ ବାଜିମାତ୍‌ କରିବା ଆଶା କରାଯାଉଥିଲା । ଶ୍ରୀକାନ୍ତ ୨ପଏଣ୍ଟ ହାତେଇ ମ୍ୟାଚ୍‌କୁ ଫେରିଥିଲେ । ଏହାପରେ ସେ କ୍ରମାନ୍ୱୟରେ ୬ପଏଣ୍ଟ ହାସଲ କରି ୧୨-୯ରେ ଆଗୁଆ ରହିଥିଲେ । ଲକ୍ଷ୍ୟ ଆଉ ମ୍ୟାଚ୍‌କୁ ଫେରି ପାରିନଥିଲେ । ଶ୍ରୀକାନ୍ତ ୨୧-୧୪ରେ ବିଜୟୀ ହୋଇ ସ୍ଥିତି ବରାବର କରିଥିଲେ । ଅନ୍ତିମ ଗେମ୍‌ ଅଧିକ ସଂଘର୍ଷପୂର୍ଣ୍ଣ ରହିଥିଲା ।

ଲକ୍ଷ୍ୟ ଏକଦା ୧୩-୯ରେ ଆଗୁଆ ରହିଥିଲେ । ଶ୍ରୀକାନ୍ତ ଲଢ଼ୁଆ ପ୍ରଦର୍ଶନ କରିଥିଲେ । ସ୍ଥିତି ୧୬-୧୬ରେ ବରାବର ରହିଥିଲା । ଶେଷରେ ଶ୍ରୀକାନ୍ତ ଅଭିଜ୍ଞତାର ଫାଇଦା ଉଠାଇ ବାଜିମାତ୍‌ କରିଥିଲେ ।

Spread the love