କାଦମ୍ବିନୀର ବନ୍ଧୁମିଳନ ତଥା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଆଜି ବିଭିନ୍ନ ଲେଖକ, କବି, ସାହିତ୍ୟିକ, କଳାକାରଙ୍କୁ ନେଇ ଏକ ବନ୍ଧୁମିଳନ ତଥା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ପୂର୍ବରୁ କାଦମ୍ବିନୀର ଏହି କାର୍ଯ୍ୟକ୍ରମ ହୋଇପାରିନଥିଲା। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଓ ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା କାଦମ୍ବିନୀ ସାହିତ୍ୟ ସମ୍ମାନ।
ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ସେହିପରି ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯାଇଥିଲା ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’। ପୁରସ୍କାର ବାବଦରେ ଭୀମ ପୃଷ୍ଟିଙ୍କୁ ୨୫ହଜାର ଟଙ୍କା, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରୋଜାଲିନ୍ ମହାନ୍ତି, ସଞ୍ଜୟ ପଣ୍ଡା ଓ ମାଧବାନନ୍ଦ ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା କାଦମ୍ବିନୀ ନବଉନ୍ମେଷ ଗଳ୍ପ ସମ୍ମାନ ୨୦୨୦। ପୁରସ୍କାର ବାବଦରେ ନଗଦ ୩ ହଜାର ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା।
ସେମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ କାଦମ୍ବିନୀ ଦୀର୍ଘ ଦୁଇ ଦଶନ୍ଧୀ ଧରି ସମୟ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି ବୋଲି କହିଥିଲେ ଡ. ସାମନ୍ତ। ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସାହିତ୍ୟିକା ନିରୁପମା ଆଚାର୍ଯ୍ୟ, ଡ. ସଂଘମିତ୍ରା ମିଶ୍ର, ସାହିତ୍ୟିକ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ସେପ୍ଟେମ୍ବର ସଂଖ୍ୟା ଉନ୍ମୋଚନ କରାଯାଇଥିଲା।
ଏହା ବ୍ୟତୀତ କାଦମ୍ବିନୀ ମିଡ଼ିଆ ପ୍ରକାଶିତ ତଥା ଡ. ଇତି ସାମନ୍ତଙ୍କ ସମ୍ପାଦିତ କ୍ଷୁଦ୍ରଗଳ୍ପ ସଂକଳନ ‘କାଳଜୟୀ କଥା’ ଓ ‘କାଦମ୍ବିନୀ ପରିକ୍ରମା’ ଉନ୍ମୋଚନ କରାଯାଇଥିଲା। ବିଶିଷ୍ଟ ଚିକିତ୍ସକ ଡା. ହରିଶ ଚୌଧୁରୀଙ୍କୁ କାଦମ୍ବିନୀ ସେବା ସମ୍ବର୍ଦ୍ଧନା ୨୦୨୧ ପ୍ରଦାନ କରାଯାଇଥିବା ବେଳେ ପ୍ରାଚୀ ମହାପାତ୍ରଙ୍କୁ କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ ୨୦୨୧, ସଦାନନ୍ଦ ତ୍ରିପାଠୀଙ୍କୁ କାଦମ୍ବିନୀ ନବଉନ୍ମେଷ ଗଳ୍ପ ବିଚାରକ ଓ ଡ. ଜୟନ୍ତୀ ରଥଙ୍କୁ କାଦମ୍ବିନୀ ନବଉନ୍ମେଷ କବିତା ବିଚାରକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଡ. ଇତି ସାମନ୍ତ ।