ଏବେ ଆହୁରି ସୁଗମ ହେବ କୈଳାଶ ମାନସରୋବର ଯାତ୍ରା

ନୂଆଦିଲ୍ଲୀ ୨୪।୩: ଆଗାମୀ ବର୍ଷରୁ କୈଳାଶ ମାନସରୋବର ଯାତ୍ରା ଅଧିକ ସୁଗମ ହୋଇପାରିବ। ଶ୍ରଦ୍ଧାଳୁଙ୍କୁ ଏବେ ଆଉ ପାଦରେ ଚାଲିଚାଲି ଯିବାକୁ ପଡିବନି। ଏବେ ସମ୍ପୂର୍ଣ୍ଣ ଯାତ୍ରା ମୋଟର ଯୋଗେ ହୋଇପାରିବ। ଅର୍ଥାତ ଯାତ୍ରୀ ବାହନ ଯୋଗେ ଧାରଚୂଲାରୁ ସିଧା କୈଳାଶ ମାନସରୋବର ପହଞ୍ଚିପାରିବେ। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରି ସଂସଦରେ ଏହି ସୂଚନା ଦେଇଛନ୍ତି।

ମାନସରୋବରକୁ ସଡ଼କ ମାର୍ଗ ସଂଯୁକ୍ତ ହେବା ପରେ ସୁରକ୍ଷା ବଳଙ୍କ ସମେତ ସ୍ଥାନୀୟ ନାଗରିକ ଓ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁଗମ ହୋଇପାରିବ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି। ବର୍ତ୍ତମାନ ସମୟରେ ଧାରଚୂଲାରୁ କୈଳାଶ ମାନସରୋବର ଯିବା ଲାଗି ଲୋକଙ୍କୁ ୪ରୁ ୫ ଦିନ ସମୟ ଲାଗି ଯାଉଛି। ଯାତ୍ରା କାଳରେ ରାତି ହେଲେ ଯାତ୍ରୀଙ୍କୁ ରାସ୍ତାରେ ଅଟକିବାକୁ ହେଉଛି ଓ ପୁଣି ପରଦିନ ସୂର୍ଯ୍ୟୋଦୟରୁ ଚାଲିବାକୁ ପଡୁଛି।

ବର୍ଡର ରୋଡ ଅର୍ଗାନାଇଜେସନ ଚୀନ ସୀମାକୁ ସଂଯୁକ୍ତ କରୁଥିବା ତଥା ସାମରିକ ଗୁରୁତ୍ୱ ରଖୁଥିବା ଘଟ୍ଟାବଗଡ-ଲିପୁଲେଖ ସଡକକୁ ଏବେ ପକ୍କା ରାଜମାର୍ଗରେ ରୂପାନ୍ତରିତ କରୁଛନ୍ତି। ଏହି ସଡକ ନିର୍ମାଣ ସରିଲେ ତୀର୍ଥ ଯାତ୍ରୀ ଧାରଚୂଲାରୁ କୈଳାଶ ମାନସରୋବରକୁ ମାତ୍ର କିଛି ଘଣ୍ଟାରେ ଯାତ୍ରା କରିପାରିବେ। ଏହି ସଡକ ନିର୍ମାଣ କାମ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହୋଇଯିବ ବୋଲି ବିଭାଗୀୟ ମନ୍ତ୍ରୀ ଲୋକସଭାରେ କହିଛନ୍ତି।

ଆଲମୋଡା ଅଥବା ପିଥୋରାଗଡରୁ ଲୋକେ ଧାରଚୂଲା ପହଞ୍ଚନ୍ତି। ଏଠାରେ ତୀର୍ଥ ଯାତ୍ରୀ ଗୋଟିଏ ରାତି କଟାଇବା ପରେ ପରଦିନ କୈଳାଶ ମାନସରୋବର ଯାତ୍ରାରେ ବାହାରିପାରିବେ। ଏଠାରୁ ୭୪ କିଲୋମିଟର ରାସ୍ତାକୁ ଯେ କୌଣସି ବାହାନରେ ଯାତ୍ରୀ ମାତ୍ର ୬ ଘଣ୍ଟାରେ ପାର କରି ଗୁଞ୍ଜିରେ ପହଞ୍ଚିପାରିବେ, ତା ପରଦିନ ସେଠାରୁ ମାତ୍ର କିଛି ଘଣ୍ଟାର ଯାତ୍ରାରେ ଲୋକେ କୈଳାଶ ମାନସରୋବର ତୀର୍ଥାଟନ କରି ଫେରିପାରିବେ।

Spread the love