ଆଜି ୬ ଜିଲ୍ଲାକୁ କା‌ଳବୈଶାଖୀ

ଆଜି ୬ ଜିଲ୍ଲାରେ କା‌ଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ବରଗଡ଼, ନୂଆପଡ଼ା, ସୁନ୍ଦରପଦା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର। ଏହି ସବୁ ଜିଲ୍ଲାରେ ଆସନ୍ତାକାଲି ଅପରାହ୍‌ଣ ବେଳକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ରହିଥିବାରୁ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଭୁବନେଶ୍ବର, ବାରିପଦା ଓ ନୟାଗଡ଼ରେ ଗତକାଲି ପାରଦ ୩୯ ଡିଗ୍ରି ଅତିକ୍ରମ କରିଥିବା ବେଳେ ଆଜି ଭୁବନେଶ୍ବର ଓ ବାରିପଦାର ତାପମାତ୍ରା ୩୮ ଡିଗ୍ରିକୁ ଖସିଛି ଓ ନୟାଗଡ଼ର ତାପମାତ୍ରା ପ୍ରା‌ୟ ୪ ଡିଗ୍ରି ଖସି ୩୫ ଡିଗ୍ରିରେ ରହିଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିଠାରେ ୩୯ ଡିଗ୍ରି ରେକର୍ଡ ହୋଇଛି।

Spread the love