ଥୁଆମୁଳ-ରାମପୁରରେ ହେବ ଯୁକ୍ତ ୩ ଡିଗ୍ରି କଲେଜ, ଘୋଷଣା କଲେ ୫-ଟି ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭିକେ. ପାଣ୍ଡିଆନ ଶନିବାର କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ସେଠାରେ ଏହାର ଉନ୍ନତି ପାଇଁ ସ୍ଥାନୀୟ ଲୋକ ଓ ବିଭାଗୀୟ ଇଂଜିନିଅର ମାନଙ୍କ ସହ ଆଲୋଚନା କରିଥିଲେ। ପିପଳନଳାର ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏକ ମାସ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହାପରେ ସେ ଥୁଆମୁଳ-ରାମପୁର ଯାଇ ସେଠାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ସେଠାରେ ଏକ ଯୁକ୍ତ-୩ ଡିଗ୍ରି କଲେଜ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ। ଏହାଦ୍ବାରା ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। ଭଟଙ୍ଗପଦର ହାଇସ୍କୁଲ ପଡିଆରେ ସେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ ଏବଂ ଏହାର ସମାଧାନ ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

Spread the love