କେନ୍ଦ୍ର ରାଜ୍ୟ କୋଳାକୋଳି, ମିଶିଲା କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା

କେନ୍ଦ୍ରସହ ରାଜ୍ୟସରକାରଙ୍କ ହେଲା ଡିଲ୍ । କେନ୍ଦ୍ର ସହ ହାତ ମିଳାଇଲେ ରାଜ୍ୟ ସରକାର । ଏବେ  ପ୍ରଧାନମନ୍ତ୍ରୀ କିଷାନ୍ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯାଇଛି । ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ  । ଏନେଇ ଆଜି କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, ଦୁଇ ଯୋଜନା ମିଶିଲେ ବି ଚାଲୁ ରହିବ କାଳିଆ ଯୋଜନା । କିଷାନ ଓ କାଳିଆ ଯୋଜନା ମିଶ୍ରଣକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିସାରିଛି । ଏ ନେଇ ନିୟମାବଳୀ ବି ପ୍ରସ୍ତୁତ ହୋଇସାରିଛି ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଇତିମଧ୍ୟରେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ଜଣାପଡିଛି । ଅର୍ଥାତ୍ ଓଡ଼ିଶାର ଚାଷୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମିଶି 16 ହଜାର ଟଙ୍କା ନୁହେଁ, ବରଂ 10 ହଜାର ଟଙ୍କା ପାଇବେ। ପୂର୍ବରୁ କାଳିଆ ଯୋଜନାରେ 10 ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ 6 ହଜାର ଟଙ୍କା ଏମିତି 16 ହଜାର ଟଙ୍କା ଚାଷୀ ପାଇବା ଲାଗି ସୁଯୋଗ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ 6 ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କ 4 ହଜାର ଟଙ୍କା, ଏମିତି 10 ହଜାର ଟଙ୍କା ପାଇବେ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ରାଜ୍ୟ ରାଜକୋଷ ଉପରେ ଚାପ କମିଛି, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସଂପର୍କରେ ସୁଧାର ଆସିଛି ବୋଲି ସ୍ପଷ୍ଟ ହୋଇଯାଇଛି।

Spread the love