କାଳିଆ ନାମରେ ପିସି କାରବାର ଚାଲିଛି , ବିଜେପି

ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବିଜେଡିର ପିସି ଯୋଜନାରେ ପରିଣତ ହୋଇଯାଇଛି ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, କାଳିଆ ଯୋଜନା କୃଷକ ମାନଙ୍କ ପାଇଁ ସରକାର କହୁଥିବା ବେଳେ ଏହାକୁ ଦଳୀୟ ପାଣ୍ଠି ଭାବରେ ଖର୍ଚ୍ଚ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ନବୀନ ସରକାର କରିଛନ୍ତି । ପ୍ରକୃତ ଚାଷୀ ମାନଙ୍କୁ ଚିହ୍ନଟ କରିବା ବଦଳରେ ଦଳୀୟ ଆଧାରରେ ହିତାଧିକାରୀ ଚୟନ କରାଯାଇଛି ।

ରାଜ୍ୟରେ ଭାଗଚାଷୀ ମାନଙ୍କ ସ୍ୱାର୍ଥକୁ ସମ୍ପୂର୍ଣ ଭାବେ ଅଣଦେଖା କରାଯାଇଛି । ଯାହାଫଳରେ ଲକ୍ଷ ଲକ୍ଷ ଭାଗଚାଷୀ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, କାଳିଆ ଯୋଜନାକୁ ନେଇ ଗାଁ ଗାଁରେ ବାଡାବାଡି ଆରମ୍ଭ ହୋଇଯାଇଛି । ପ୍ରକୃତ ଚାଷୀ ମାନେ ତାଙ୍କର ହକ୍ ଦାବି କରୁଥିବା ବେଳେ ବିଜେଡିର ରହିଥିବା ଗୁଣ୍ଡାବାହିନୀ ଏବେ ସେମାନଙ୍କୁ ବାଡାବାଡି କରୁଛନ୍ତି । ଯୋଜନାର ସୁଫଳ ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କ ମୁହଁକୁ ଚୁପ୍ କରିବା ପାଇଁ ବିଜେଡିର ଗୁମାସ୍ତା ମାନେ ତାଙ୍କର ଗୁଣ୍ଡାବାହିନୀକୁ ଏ କାମରେ ଲଗାଇଛନ୍ତି ।

ଯାହାଫଳରେ ପ୍ରକୃତ ଚାଷୀ ଏହାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ନିର୍ବାଚନ ବୈତରଣୀ ପାର୍ ହେବାପାଇଁ ଦଳୀୟ ଆଧାରରେ ଟଙ୍କା ବାଂଟିବା ପାଇଁ ଏହା ନବୀନ ସରକାରଙ୍କ ଆଉ ଏକ ଚକ୍ରାନ୍ତ ବୋଲି କହିଛନ୍ତି ଶ୍ରୀ ମହାନ୍ତି ।  ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ଚାଷୀମାନେ ଏହାର ସୁଫଳ ପାଇବା ପାଇଁ ସ୍ୱର ଉଠାଉଥିବା ବେଳେ ସରକାର ଘଂଟାକୁ ଘଂଟା ନୂଆ ନିୟମ କରି ଚାଷୀମାନଙ୍କୁ ଠକିବା ପାଇଁ ଅପଚେଷ୍ଟା କରୁଛନ୍ତି ।

  ରାଜ୍ୟରେ ଚାଷୀ ହନ୍ତସନ୍ତ ଅବସ୍ଥାରେ ଥିବା ବେଳେ କେବଳ କାଳିଆ ଯୋଜନା ନାଁରେ ନବୀନ ସରକାର ଓଡିଶାବାସୀଙ୍କ ଆଗରେ ସୁଆଙ୍ଗ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସ୧ିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

Spread the love