ଅଯୋଗ୍ୟଙ୍କୁ ଯୋଗ୍ୟ ଦର୍ଶାଇ କାଳିଆ ଯୋଜନାରେ ସାମିଲ କରିଥିବା ସରକାରୀ ଅଧିକାରୀମାନଙ୍କ ଠାରୁ ଟଙ୍କା ଆଦାୟ କରନ୍ତୁ ରାଜ୍ୟସରକାର:ବିଜେପି

ବିଗତ ୨୦ ବର୍ଷ ଧରି ରାଜ୍ୟରେ ଏକ କୃଷକ ବିରୋଧୀ ସରକାର ଚାଲିଛି । ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟାଯାଇଥିଲା । ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରୁଛି ଶାସକ ବିଜେଡି । ଏବେ କୃଷି ବିଭାଗ ପକ୍ଷରୁ ରାଜ୍ୟର ୨ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ପାଖକୁ ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ନୋଟିସ ପଠାଯିବା ସହ ୧ ମାସ ଭିତରେ ଟଙ୍କା ପଇଠ କରିବା ପାଇଁ ନିର୍ଦ୍ଦେଶ ରହିଛି । ସମଗ୍ର ରାଜ୍ୟରେ ଏବେ କୋରନା ସଙ୍କଟ ଚାଲିଥିବାବେଳେ ରାଜ୍ୟସରକାରଙ୍କ ଏବେ କାଳିଆ ମାଡ କରି ଚାଷୀମାନଙ୍କୁ ତଳିତଳାନ୍ତ କରିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।

କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ । ବିନା ବଜେଟରେ ବିନା ଚାଷୀ ତାଲିକାରେ ଠିକ୍‌ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ କଂଟିଜେନ୍ସୀ ଫଣ୍ଡରୁ ଅର୍ଥ ଆଣି ବଂଟାଯାଇଥିଲା । କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରି ମାନଙ୍କୁ ହିତାଧିକାରି ତାଲିକାରେ କିଏ ସାମିଲ କଲା ? ଏଥିପାଇଁ ଦାୟୀ କିଏ ? ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।

ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ରାଶି ଘୋଷଣା କରିଥିଲେ ମଧ୍ୟ ଚାଷୀ ତାହା ପାଇବାରୁ ବଂଚିତ ରହୁଛି । ଧାନ ପ୍ରତି କ୍ୱିଂଟାଲ ପିଛା ପ୍ରତି ଚାଷୀ ପିଛା ୩୦୦ ରୁ ୫୦୦ ଟଙ୍କା କାଟିଦିଆଯାଉଛି । ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ କିଣି ସରକାର ଏପର୍ଯ୍ୟନ୍ତ ସେମାନଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିନାହାଁନ୍ତି । ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ପାଇଁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ରାଶି ଚାଷୀଙ୍କୁ ଯୋଗାଇ ଦେଉଥିବାବେଳେ ରାଜ୍ୟସରକାର ଏପର୍ଯ୍ୟନ୍ତ ଚାଷୀଙ୍କ ତାଲିକା ଦେଇପାରିଲେ ନାହିଁ । ଆଉ ଏବେ କରୋନା ମହାମାରୀ ସମୟରେ ଚାଷୀଙ୍କ ଠୁ ପଇସା ଫେରସ୍ତ ଆଣିବା ପାଇଁ ନୋଟିସ ପଠାଇବା ଚାଷୀ ବିରୋଧୀ ପନ୍ଥା ଆପଣାଇଛନ୍ତି । ଅନ୍ୟପଟେ ଅତାବିରା ର ରଘୁନାଥ ପତି ନାମକ ଜଣେ ଚାଷୀଙ୍କୁ କାଳିଆ ଅର୍ଥ ନମିଳିଥିଲେ ବି ତାଙ୍କୁ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଟଙ୍କା ଫେରାଇବା ପାଇଁ ନୋଟିସ ପଠାଯାଇଛି । ଏଥିରୁ ସ୍ପଷ୍ଟ ହେଉଛି କି ରାଜ୍ୟସରକାରଙ୍କ କାଳିଆ ତାଲିକା ଏଯାବତ ସଂଶୋଧନ ହୋଇପାରିଲା ନାହିଁ । କାଳିଆ ତାଲିକାରୁ ବାଦ ପକାଇ ଏବେ ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ରାଜ୍ୟସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।

Spread the love