ଚାଷୀକୁ ସ୍ୱାଭିମାନ ସହ ବଞ୍ଚିବା ପାଇଁ ସାହସ ଯୋଗାଉଛି ‘କାଳିଆ’ : ନବୀନ

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନୂଆପଡ଼ା ଜିଲ୍ଲା ଗସ୍ତ କରି ୨୪୦ କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖରିଆର-ବୋଡନ୍‌-ସିନାପାଲି ରାସ୍ତା, ଗଣ୍ଡାବାହାଲି-ଫର୍‌ସରା-ବୋଡେନ୍‌ ରାସ୍ତା ଏବଂ କୋମନା-କାଣ୍ଡେତରା ରାସ୍ତାର ନୂଆଗାଁ ନାଳ ଉପରେ ନିର୍ମିତ ୩ଟି ହାଇଲେଭଲ ସେତୁ ନିର୍ମାଣର ଶୁଭ ଉଦ୍‌ଘାଟନ କରିଛନ୍ତି।

ଏଥିସହିତ ନବନିର୍ମିତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସାଇପଲା-ନୂଆପଡ଼ା ବିଜୁ ଏକ୍ସପ୍ରେସ୍‌ ଏବଂ ରାଜ୍ୟ ରାଜପଥ ୩- ଜୁନାନି ରାସ୍ତା, ନୂଆପଡ଼ା ବ୍ଲକ୍‌ର ସାଇପଲା ଏବଂ ଖରିଆର ବ୍ଲକ୍‌ର ବାଦି ୩୩/୧୧ କେଭି ସବ୍‌ଷ୍ଟେସନ୍‌, କୋମନା, ନୂଆପଡ଼ା, ବୋଡେନ୍‌ ଏବଂ ସିନାପାଲି ବ୍ଲକ୍‌ର ୮ଟି ୧୦୦ ସିଟ୍‌ ବିଶିଷ୍ଟ ଛାତ୍ରୀନିବାସ ଏବଂ ୩ଟି ଛାତ୍ରାବାସ, କୋମନା ଏବଂ ନୂଆପଡ଼ା ବ୍ଲକ୍‌ର ୨୦୦ସିଟ୍‌ ବିଶିଷ୍ଟ ୨ଟି ଅନୁସୂଚିତ ଜନଜାତି ଛାତ୍ରାବାସ, ନିବନିର୍ମିତ ନୂଆପଡ଼ା ପର୍ଯ୍ୟଟନ କାର୍ଯ୍ୟାଳୟ, ସିନାପାଲି ଏବଂ କୋମନା ବ୍ଲକ୍‌ର ୫ଟି ଜଳଯୋଗାଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।
ବୋଡେନ୍‌, ନୂଆପଡ଼ା ଏବଂ କୋମନା ବ୍ଲକ୍‌ର ୬ଟି ସଡ଼କ ନିର୍ମାଣ ପ୍ରକଳ୍ପ, ନୂଆପଡ଼ା, ବୋଡେନ୍‌ ଏବଂ ଖରିଆର ବ୍ଲକ୍‌ର ୫ଟି ହାଇଲେଭଲ ସେତୁ ପ୍ରକଳ୍ପ, ନୂଆପଡ଼ା ଜିଲ୍ଲା ଲାଇବ୍ରେରି ଏବଂ କୋମନା ବ୍ଲକ୍‌ ମେଣ୍ଢାତାଲ ହାଇସ୍କୁଲ ନିର୍ମାଣ, ସିନାପାଲି ବ୍ଲକ୍‌ର ତାଳକୋଟ, ମହେଶ୍ୱର ଏବଂ ଆଖପାଖ ଅଞ୍ଚଳ ପାଇଁ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ, ସିନାପାଲି ବ୍ଲକ୍‌ର ଲିଟିଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଭାଷଣରେ କହିଛନ୍ତି, କାଳିଆ ଯୋଜନାରେ ୩୦ ଲକ୍ଷରୁ ଅଧିକ ଚାଷୀ ସହାୟତା ପାଇଲେଣି । ଏପ୍ରିଲ ୧ରେ ଦ୍ୱିତୀୟ କିସ୍ତି କାଳିଆ ଟଙ୍କା ମିଳିବ । ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ୬ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦିଅନ୍ତୁ ।

କାଳିଆ ଯୋଜନା ହେଉଛି ଚାଷୀ ଭାଇଙ୍କ ଯୋଜନା । ଏଥିରେ ଛୋଟ ଚାଷୀ , ଭାଗ ଚାଷୀ ଏବଂ କୃଷି ଶ୍ରମିକଙ୍କର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି ।ସ୍ୱାଭିମାନ ସହ ବଞ୍ଚିବା ପାଇଁ ଚାଷୀକୁ କାଳିଆ ଯୋଜନା ସାହସ ଦେବା ସହ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Spread the love