କାଳିଆ ପ୍ରେମରେ ୧୭ ବର୍ଷ : ଦର୍ଶନ ପରେ ଆଉ ଛାଡି ଯିବାପାଇଁ ମନ ହେଲାନି, ମହାପ୍ରଭୁଙ୍କ ଭାବରେ ବନ୍ଧା ଶତାୟୁ ମହିଳା

ପୁରୀ ୧୯/୧୨ : କାଳିଆର ଦର୍ଶନ ପାଇଁ ଗଞ୍ଜାମରୁ ପୁରୀ ଆସିଥିଲେ। କିନ୍ତୁ ଦର୍ଶନ ପରେ ଆଉ କାଳିଆକୁ ଛାଡି ଯିବାପାଇଁ ମନ ହେଲାନାହିଁ। ସେହିଦିନ ଠାରୁ ଆଜିକୁ ପ୍ରାୟ ୧୭ ବର୍ଷ ହେଲା ପୁରୀରେ ରହି ଆସୁଛନ୍ତି ୧୦୦ ବର୍ଷର ଜଣେ ବୃଦ୍ଧା। ଆଉ ସହଯୋଗର ହାତ ବଢ଼େଇଛନ୍ତି ଗୋଟିଏ ସେବକ ପରିବାର। ବୟସ୍କ ମହିଳାଙ୍କର ଖାଇବା ଠାରୁ ଆରମ୍ଭ କରି ସବୁ କଥା ବୁଝି ନିଜ ମା’ ଭଳି ସେବା କରୁଛନ୍ତି ଗୋଟିଏ ସେବାୟତ ପରିବାର। ରକ୍ତ ସଂପର୍କ ନଥାଇ ବି ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ବୁଢୀ ମାଙ୍କୁ ଏଠାରେ ରଖି ସମସ୍ତ ସେବା କରିବେ ବୋଲି କହିଛନ୍ତି ଏହି ସେବାୟତ ପରିବାର। 

ଗଞ୍ଜାମ ଅଞ୍ଚଳର ସୁଧା ବିଶୋୟୀ। ବୟସ ପାଖାପାଖି ଶହେ ପାର କଲାଣି। ପରିବାରରେ କେହି ବି ନାହାନ୍ତି। ଆଜିକୁ ପ୍ରାୟ ୧୭ ବର୍ଷ ତଳେ ସୁଧା ବିଶୋୟୀ କାଳିଆ ପ୍ରେମରେ ପଡି ଶ୍ରୀକ୍ଷେତ୍ରକୁ ଧାଇଁ ଆସଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ତାଙ୍କର ଭେଟ ହୋଇଥିଲା ଶ୍ରୀମନ୍ଦିରର ଦର୍ପଣିଆ ସେବାୟତ ପରିବାରର ଦୃଷ୍ଟିହୀନ ମହିଳା ସୂର୍ଯ୍ୟକାନ୍ତିଙ୍କ ସହ। ଆଉ ସୁଧାଙ୍କ ଠାରୁ ସବୁକଥା ଜାଣିବା ପରେ ତାଙ୍କୁ ନିଜ ଘରକୁ ନେଇ ଆଣିଥିଲେ ସୂର୍ଯ୍ୟକାନ୍ତି। ବୟସର ଅପରାହ୍ନରେ ବି ଏହି ସେବାୟତ ପରିବାରରେ ଜଣେ ମାଆଙ୍କ ଭଳି ଅଧିକାର ସାବ୍ୟସ୍ତ କରଛନ୍ତି ସୁଧା ବିଶୋୟୀ। ସୂର୍ଯ୍ୟକାନ୍ତିଙ୍କ ପରିବାରରେ ସ୍ବାମୀଙ୍କ ସମେତ ତିନି ପୁଅ ବୋହୂ ଓ ନାତି ନାତୁଣୀ ଥିବାବେଳେ ସମସ୍ତଙ୍କ ସହ ସ୍ନେହରେ ବନ୍ଧା ହୋଇଗଲେ ସୁଧା। ଗଂଜାମରେ କେହି ବୋଲି ନିଜର ନଥିବା ବେଳେ ନିଜ ପରିବାର ବିଷୟରେ ବିଶେଷ କିଛି କହିପାରୁନାହାନ୍ତି ସୁଧା। ତେବେ ଏଭଳି ଏକ ସେବାୟତ ପରିବାର ସହ ୧୭ ବର୍ଷ ରହି ସେବା ଶୁଶ୍ରୁଷା ପାଉଥିବାରୁ ବେଶ୍ ଖୁସି ଅଛନ୍ତି ସୁଧା।  

ତେବେ ମା, ବାପା ,  ଶାଶୁ ଶ୍ୱଶୁରଙ୍କ ବଦଳରେ ବୃଦ୍ଧା ରାଧାଙ୍କୁ ପାଇ ଭାବବିହ୍ଵଳ ହୋଇ ପଡିଛନ୍ତି ସୂର୍ଯ୍ୟକାନ୍ତି ଓ ତାଙ୍କ ପରିବାର। ଏହି ପରିବାରର ତିନି ଜଣ ବୋହୂ ବି ସୁଧାଙ୍କୁ ଆଈ ବୋଲି ମାନିନେବା ସହ ତାଙ୍କର ସମସ୍ତ ସେବା କରୁଛନ୍ତି।‌ ସୁଧା ଓ ସେବାୟତ ପରିବାର ମଧ୍ୟରେ ୧୭ ବର୍ଷ ହେବ ଏମିତି ଏକ ସମ୍ପର୍କ ଗଢି ଉଠିଛି ଯାହା ଫଳରେ କେହି କାହାରିକୁ ଛାଡିବା ପାଇଁ ନାରାଜ। ତେବେ ଏହି ପରିବାରର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲେ ମଧ୍ୟ‌ ସୁଧାଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ସମସ୍ତ ସେବା ଶୁଶ୍ରୁଷା କରିଆସୁଛନ୍ତି ଏହି ପରିବାର। 

କାଳିଆର ସେବା କରୁଥିବା ଏହି ସେବାୟତ ପରିବାର ସୁଧାଙ୍କ ଭଳି ଜଣେ ଅସହାୟ ବୃଦ୍ଧାଙ୍କୁ ନିଜ ପରିବାରରେ ମାଆ ଠାରୁ ଅଧିକ ଭଲ ପାଇବା ଦେଇଥିବା ବେଳେ ଏସବୁ ଦେଖିଲେ ଗୋଟିଏ କଥା ମନେ ହେଉଛି ଯେ ଆଜି ବି ବଞ୍ଚିଛି ମଣିଷ ପଣିଆ। ସ୍ୱାର୍ଥପର ଦୁନିଆରେ ଏଇ ତ ହେଉଛି ପ୍ରେମର ପ୍ରକୃତ ପରିଭାଷା ଓ ଭଲପାଇବା। 

Spread the love