Skip to content
ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କୁ ସମ୍ପୂର୍ଣ୍ଣ ଦାୟୀ କରି ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲୁଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା ଆଜି ମନଇଚ୍ଛା ବର୍ଷିଛନ୍ତି । ଖାଲି ନିରଞ୍ଜନ ନୁହଁନ୍ତି ଭାଇ ସୌମ୍ୟରଂଜନଙ୍କୁ ମଧ୍ୟ ସେ ଛାଡ଼ିନାହାନ୍ତି । ଆଗାମୀ ୫ ବର୍ଷରେ ବିଜେଡ଼ିକୁ କବଜା କରିବାକୁ ପଟ୍ଟନାୟକ ବ୍ରଦର୍ସ ଯୋଜନା କରିଥିବା ସେ କହିଛନ୍ତି । କଂଗ୍ରେସକୁ ତଳିତଳାନ୍ତ କରିସାରିଥିବା ନିରଞ୍ଜନ ଭାଇ ସୌମ୍ୟମ୍ୟଙ୍କୁ ମାଧ୍ୟମ କରି ଏଥିପାଇଁ ଚକ୍ରାନ୍ତ କରିଥିବା କହିଛନ୍ତି । ଶ୍ରୀ ଲେଙ୍କାଙ୍କର ଏଭଳି ସାଂଘାତିକ ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବାକୁ ନିରଞ୍ଜନ ପଟ୍ଟନାୟକଙ୍କର ଏକ ବଡ଼ ସ୍ୱପ୍ନ ଥିଲା । ସେଥିପାଇଁ ସେ ଅନେକ ଜ୍ୟୋତିଷଙ୍କୁ ହାତ ଦେଖାଇଥିଲେ । ମାତ୍ର ରାଜ୍ୟରେ କଂଗ୍ରେସର ଅବସ୍ଥା ତାଙ୍କ ଆଶା ମଉଳେଇ ଦେଲା । ମୁଖ୍ୟମନ୍ତ୍ରୀ ନହେଲେ ନାହିଁ କେମିତି ଉପମୁଖ୍ୟମନ୍ତ୍ରୀ ହେବେ ବ୍ୟାକୁଳ ହୋଇଥିଲେ । ତେଣୁ ବିଜେଡ଼ି କାନ୍ଧରେ ଆଉଜିବାକୁ ଯୋଜନା କରି ଭାଇ ସୌମ୍ୟରଞ୍ଜନଙ୍କୁ କାମରେ ଲଗାଇଥିଲେ । ଏହିକ୍ରମରେ କଂଗ୍ରେସ ପ୍ରାର୍ଥୀ ଚୟନରେ ମନମାନି କଲେ । ଖଣ୍ଡପଡ଼ାରେ କଂଗ୍ରେସ ନେତାଙ୍କ ଅଭାବ ନ ଥିବା ବେଳେ ଭାଇଙ୍କ ବିରୋଧରେ ତାଙ୍କ ଘରୋଇ କର୍ମଚାରୀଙ୍କୁ ଟିକେଟ ଦିଆଗଲା । ବାପପୁଅ ମିଳିମିଶି ଟିକେଟ ବାଣ୍ଟିନେଲେ । ଯୋଗ୍ୟ ପ୍ରାର୍ଥୀଙ୍କୁ ହତାଦର କରାଗଲା ।
ଶ୍ରୀ ଲେଙ୍କା କହିଛନ୍ତି, ବିଜେଡ଼ି ଏଥର ସରକାର ଗଢ଼ିବା ପାଇଁ ଆବଶ୍ୟକ ଆସନ ପାଇବ ନାହିଁ ବୋଲି ନିରଞ୍ଜନ ଭାବିଥିଲେ । ବିଜେଡ଼ି ୭୦ କିମ୍ବା ତାଠାରୁ କମ ଆସନ ପାଇବ ବୋଲି ତାଙ୍କର ଆକଳନ ଥିଲା । ତେଣୁ ନବୀନ ପଟ୍ଟନାୟକଙ୍କୁ ମନାଇ କଂଗ୍ରେସ ସମର୍ଥନରେ ସରକାର ଗଢ଼ିବାକୁ ଭାଇ ସୌମ୍ୟଙ୍କୁ ସଜାଇ ରଖିଥିଲେ । ବିଜେଡ଼ି ସହ ମେଣ୍ଟ କଲେ ଉପମୁଖ୍ୟମନ୍ତ୍ରୀ ପଦ ପାଇଯିବେ ବୋଲି ଭାବିଥିଲେ । ସେହି ଯୋଜନାରେ ଭାଇଙ୍କୁ ଧରି ନିରଞ୍ଜନ ଆଗକୁ ବଢ଼ିଥିଲେ ।
ଖଣ୍ଡପଡ଼ାରେ ସୌମ୍ୟରଂଜନ ପଟ୍ଟନାୟକ ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବାରୁ ତାହାକୁ ପ୍ରଚାରର ଆୟୁଧ କରିଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ୫ ବର୍ଷ ଭିତରେ ବିଜେଡ଼ିକୁ କବଜା କରିନେବା । ତାଙ୍କ କାର୍ଯ୍ୟଧାରା ଏହି ଆଧାରରେ ହେବ ବୋଲି ଶ୍ରୀ ଲେଙ୍କା ସତର୍କ କରାଇଛନ୍ତି ।
ତେବେ ଶ୍ରୀ ଲେଙ୍କାଙ୍କ ଅଭିଯୋଗ ଉପରେ ନିରଞ୍ଜନ ପଟ୍ଟନାୟକଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।
Post Views: 1,456