ରାତିରେ ଏହି କାରଣରୁ କପିଲ ଶର୍ମାଙ୍କ ହାତରୁ ଫୋନ୍‌ ନେଇଯାଆନ୍ତି ପତ୍ନୀ ଗିନ୍ନି

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ଲଭ୍‌-ଲଇଫ୍‌ ବିଷୟରେ ସମସ୍ତଙ୍କୁ ଜଣା। କିପରି‌ ସେ ନିଜ ଦୀର୍ଘ ଦିନରେ ପ୍ରେମିକା ଗିନ୍ନିଙ୍କୁ ବିବାହ କରିଛନ୍ତି ଓ ତା’ପରେ ୨ ଜଣ ପିଲାଙ୍କ ବାପା ବି ବନିଛନ୍ତି ତାହା ସମସ୍ତେ ଜାଣନ୍ତି। କପିଲ୍‌ ସୋ’ରେ ଯେତେ ବି ଝିଅଙ୍କ ସହ ‘ଫ୍ଲର୍ଟ’ କରନ୍ତୁ ପଛେ, ସେ ତାଙ୍କ ପତ୍ନୀଙ୍କୁ କେତେ ଶ୍ରଦ୍ଧା କରନ୍ତି ତାହା କାହାକୁ ଅଛପା ନାହିଁ।

ଅଧିକାଂଶ ସମୟରେ ସେ ସୋ’ରେ ନିଜ ପତ୍ନୀଙ୍କ ନାମ ନିଅନ୍ତି ତ ପୁଣି କେବେ କେ‌ବେ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ପତ୍ନୀଙ୍କ ପ୍ରତି ଥିବା ତାଙ୍କ ଭଲପାଇବା ସାମ୍ନାକୁ ଆସିଥାଏ। ତେବେ କପିଲଙ୍କ ପରି ତାଙ୍କ ପତ୍ନୀ ଗିନ୍ନି ମଧ୍ୟ ଖୁବ୍‌ ଯତ୍ନଶୀଳ ନିଜ ସଂପର୍କକୁ ନେଇ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏକ ବିଶେଷ କାରଣ ପାଇଁ ଗିନ୍ନି ରାତିରେ କପିଲଙ୍କ ହାତରୁ ଫୋନ୍‌ ନେଇଯାଆନ୍ତି। କିଛି ବର୍ଷ ତଳେ ରାତିରେ ନିଶାସକ୍ତ ଅବସ୍ଥାରେ କପିଲ ଶର୍ମା କରିଥିବା ଟ୍ବିଟ୍‌ ପୋଷ୍ଟ୍‌ କଥା ଆପଣଙ୍କର ମନେଥିବ। ସେହି ପୋଷ୍ଟ୍‌ ତାଙ୍କୁ ବିବାଦ ଭିତରକୁ ଟାଣି ନେଇଥିଲା। ଯେଉଁ କାରଣରୁ ଏବେ ବି ରାତିରେ କପିଲଙ୍କୁ ଫୋନ୍‌ ଧରିବାକୁ ଦିଅନ୍ତିନି ଗିନ୍ନି।

ନିକଟରେ ଏକ ସାକ୍ଷାତ୍‌କାରରେ କପିଲ ଏ ସଂପର୍କ‌ରେ କହିଛନ୍ତି। ସେ କହିଛନ୍ତି ଯେ ମଦ ପିଇବା ପରେ ଗିନ୍ନି ତାଙ୍କ ହାତରୁ ଫୋନ୍‌ ନେଇଯାନ୍ତି। କପିଲ ଆହୁରି ବି କହିଛନ୍ତି ଯେ ‘ଏବେ ମୁଁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରୁନି। ଆଗରୁ ବହୁତ କରୁଥିଲି। ଅଯଥା କଥାରେ ମୁଣ୍ଡ ପୂରେଇବାର ଅଭ୍ୟାସ ମୋର ବହୁତ ଥିଲା। ମୋ‌ତେ କେହି କିଛି ବି ବିଷୟରେ ମୋର ରାୟ ମାଗୁ ନଥିଲେ, ହେଲେ ମୁଁ ଉପରେ ପଡ଼ି ମୋର ବିଚାର ରଖୁଥିଲି। ମାତ୍ର ଏବେ ସେମିତି କରୁନି। ମୋର ପିଲା ହେଲେଣି। ପିଲାର ବାପା ହେବା ପରେ ଦାୟିତ୍ବ ବଢ଼ିଯାଏ। କାଲି ଯେତେବେ‌ଳେ ମୋ ପିଲା ସୋସିଆଲ୍‌ ମିଡିଆରେ ମୋ ପୋଷ୍ଟ୍‌ ପଢ଼ିବେ ତ ମୋ ବିଷୟରେ କ’ଣ ଭାବିବେ?’

Spread the love