ରାଜ୍ୟ କାର୍ଯ୍ୟାଳୟରେ କାରଗିଲ୍ ବିଜୟ ଦିବସ ପାଳିତ

ଭୁବନେଶ୍ୱର,ତା.୨୬/୦୭: କାରଗିଲ ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ । ଏହି ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଅବସରରେ ଆଜି ଦେଶବ୍ୟାପୀ କାର୍ଗିଲ ବିଜୟ ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ କାର୍ଗିଲ ବିଜୟ ଉତ୍ସବ ପାଳନ ସହ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ପ୍ରତିକୁଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ । ଏହା ପରେ ରାଷ୍ଟ୍ର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବିଶେଷ ଭାବେ ଗତ ୮ ବର୍ଷର ମୋଦି ଶାସନରେ ଭାରତୀୟ ସେନାର ଶକ୍ତି ବହୁ ବୃଦ୍ଧି ପାଇଛି । ଅଗ୍ନିପଥ ଯୋଜନା ଜରିଆରେ ମୋଦି ସରକାର ଦେଶର ସେନାବହିନୀକୁ ଅଧିକ ସଶକ୍ତ ଓ ସୁଦୃଢ କରିଛନ୍ତି । ସାମରିକ ରାଷ୍ଟ୍ର ଭାବେ ଆଜି ଭାରତବର୍ଷ ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଟା କରିବାରେ ସଫଳ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠରେ ରାଜ୍ୟ ଆବାହକ ଶ୍ରୀ ସର୍ଜନ ଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ବହୁ ପୂର୍ବତନ ସେନାଧିକାରୀମାନେ କାରଗିଲ ଯୁଦ୍ଧ ସମୟର ଅନୁଭୂତିକୁ ବର୍ଣ୍ଣନା କରିଥିଲେ । ପୂର୍ବତନ ସେନାଧିକାରୀ ଲେଫ୍ଟନାଂଟ ଜେନେରାଲ ନାରାୟଣ ମହାନ୍ତି, ବ୍ରିଗେଡିୟର ଡା.ଏଲ.ସି.ପଟ୍ଟନାୟକ, ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ, କର୍ଣ୍ଣେଲ ଏସ.ସି.ମହାନ୍ତି, କର୍ଣ୍ଣେଲ ଏନ.ବେହେରା ପ୍ରମୁଖ ଆଲୋଚନା ଚକ୍ରରେ ଭାଗ ନେଇଥିଲେ ।
ଅନ୍ୟ ପଟେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଗତ କାଲି ଶପଥ ଗ୍ରହଣ କରିଥିବା ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ତରଫରୁ ରାଷ୍ଟ୍ରପତି ଭବନରୁ ଆସିଥିବା ମିଷ୍ଠାନ୍ନ ବଂଟନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ବହୁ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Spread the love