ସେପ୍ଟେମ୍ବର ୫ରେ ସାଙ୍ଗଠନିକ ରାଜ୍ୟସ୍ତରୀୟ କର୍ମଶାଳା

ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ଏହି କର୍ମଶାଳାରେ ବିଜେପିର ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ବିଧାୟକ ଓ ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ନିବନିଯୁକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସହ ଅଧିକାରୀମାନେ ଯୋଗଦେବେ ବୋଲି ରାଜ୍ୟ  ବିଜେପି ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର  ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।

ଶ୍ରୀ ରାୟ କହିଛନ୍ତି ଯେ, ଦଳର ବିଭିନ୍ନ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଏହି ସାଙ୍ଗଠନିକ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ୩୦୦ରୁ ଉଦ୍ଧ୍ୱର୍ ନେତୃବୃନ୍ଦଙ୍କୁ ଦାୟୀତ୍ୱ ବଂଟନ କରାଯାଇଛି । ସମାଜର ବିଭିନ୍ନ ବର୍ଗ, ଯଥା – ଯୁବ , ମହିଳା, ସଂଖ୍ୟାଲଘୁ, ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ନେତୃବୃନ୍ଦଙ୍କୁ ମଧ୍ୟ ବିଭିନ୍ନ ଦାୟୀତ୍ୱ ଦିଆଯାଇଛି ।

ଏହି  ଅବସରରେ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ଶ୍ରୀ ରଂଜନ ପଟେଲ ୩୬ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସହନିର୍ବାଚନ ଅଧିକାରୀ ମନୋନୀତ କରିଛନ୍ତି । ଏହି କର୍ମଶାଳାରେ କେନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ଓ ସାଂସଦ ବିନୋଦ ସୋନକାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ଓ ସାଂସଦ ବସନ୍ତ ପଣ୍ଡା, ରଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ରଂଜନ ପଟେଲ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋକପାତ କରିବେ ବୋଲି ଶ୍ରୀ ରାୟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ବିୟୋଗ କାରଣରୁ ଅଗଷ୍ଟ ୨୫ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ ସାଙ୍ଗଠନିକ ନିର୍ବାଚନର ରାଜ୍ୟସ୍ତରୀୟ କର୍ମଶାଳା ସ୍ଥଗିତ ରଖାଯାଇଥିଲା ।

Spread the love