କର୍ଣ୍ଣାଟକ ଉପନିର୍ବାଚନ, 15ରୁ 12 ଆସନରେ ବିଜେପି ଆଗରେ

କର୍ଣ୍ଣାଟକରେ 15 ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପି 12ଟିରେ ଆଗୁଆ ରହିଛି।  ପାର୍ଟି 7ଟି ଆସନରେ ବିଜୟୀ ହୋଇଛି ଏବଂ ଆଉ 5ଟି ଆସନରେ ଦଳର ପ୍ରାର୍ଥୀ ବହୁ ବ୍ୟବଧାନରେ ଆଗରେ ରହିଛନ୍ତି । ଉପ-ନିର୍ବାଚନ ପରିଣାମ ଆସିବା ସହ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଆଶ୍ୱସ୍ତିର ନିଶ୍ୱାସ ନେଇଛନ୍ତି । ବିଜେପିକୁ 224 ସଦସ୍ୟ ବିଶିଷ୍ଟ ଗୃହରେ ଏବେ ସ୍ପଷ୍ଟ ବହୁମତ ହାସଲ ହୋଇଛି । ୟେଦିୟୁରପ୍ପା ଦଳର ବିଜୟ ଉପରେ ଖୁସି ପ୍ରକଟ କରି କହିଛନ୍ତି ଏବେ ବିନା କୌଣସି ସମସ୍ୟାରେ ସ୍ଥାୟୀ ସରକାର ଚାଲି ପାରିବ । ଉଲ୍ଲେଖଯୋଗ୍ୟ ଯେ ୟେଦିୟୁରପ୍ପାଙ୍କୁ କ୍ଷମତା ବଞ୍ଚାଇବା ପାଇଁ ଯେକୌଣସି ପରିସ୍ଥିତିରେ ଛଅ ଆସନରେ ବିଜୟୀ ହେବାର ଆବଶ୍ୟକତା ରହିଥିଲା ।

ବିଜେପି 7ଟିରେ ବିଜୟୀ ହୋଇଥିବା ବେଳେ 5ଟି ଆସନରେ ଆଗୁଆ ରହିଛି, ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଦୁଇଟି ଆସନରେ ବିଜୟୀ ହୋଇଛି । ଦଳର ରିଜୱାନ ଅରଶଦ ଶିବାଜୀନଗର ଏବଂ ଏଚପି ମଞ୍ଜୁନାଥ ହୁନସୁର ଆସନରେ ବିଜେପିର ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ସେହିପରି ହୋସାକୋଟେ ଆସନରେ ବିଜେପିରୁ ବିଦ୍ରୋହୀ ହୋଇ ନିର୍ଦଳୀୟ ପ୍ରାର୍ଥୀ ଶରଦ କୁମାର ବିଜେପିର ଏନଟିବି ନାହରାଜୁଙ୍କଠାରୁ ଆଗରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଯେଉଁ 15ଟି ଆସନରେ ଉପ-ନିର୍ବାଚନ ହୋଇଥିଲା, ସେଥିରୁ 12ଟି ଆସନ କଂଗ୍ରେସ ପାଖରେ ରହିଥିଲା ।

ଏହି ନିର୍ବାଚନରେ ବିଜେପିର ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ହୋଇଛି । ନିର୍ବାଚନ ଆୟୋଗରୁ ମିଳିଥିବା ସୂଚନା ଅନୁସାରେ ପାର୍ଟିକୁ ପ୍ରାୟ 50 ପ୍ରତିଶତ ଭୋଟ ମିଳିଛି, ସେହିପରି କଂଗ୍ରେସକୁ 31.3 ପ୍ରତିଶତ ମତଦାନ ମିଳିଛି । ଏହି ନିର୍ବାଚନରେ ଏଚଡି କୁମାରସ୍ୱାମୀ ଜେଡିଏସକୁ ବଡ ଝଟକା ଲାଗିଛି । ନିର୍ବାଚନରେ ଜେଡିଏସକୁ  ଗୋଟିଏ ଆସନ ବି ମିଳିଲାନି । ଜେଡିଏସକୁ ସବୁଠାରୁ କମ 12.4 ପ୍ରତିଶତ ଭୋଟ ମିଳିଥିଲା ।  ୟେଦିୟୁରପ୍ପାଙ୍କୁ ସରକାର କରିବା ପାଇଁ ଅତି କମରେ 6ଟି ଆସନର ଦରକାର ଥିଲା ଯାହା ବିଜେପିକୁ ମିଳି ସାରିଛି । ଯଦି ପରିଣାମ ଏହିପରି ରୁହେ ଏବଂ 12ଟି ଆସନ ବିଜେପିକୁ ମିଳେ ତେବେ ଗୃହରେ ବିଜେପିକୁ 117 ବିଧାୟକଙ୍କ ସହ ସ୍ପଷ୍ଟ ବହୁମତ ହାସିଲ ହେବ । 224 ଆସନ ବିଶିଷ୍ଟ ବିଧାନସଭାରେ ଏବେ କଂଗ୍ରେସର 68 ଏବଂ ଜେଡିଏସର 34 ଜଣ ବିଧାୟକ ରହିଛନ୍ତି । ଏହା ସହ ଜଣେ ବିଏସପି ବିଧାୟକ ରହିଛନ୍ତି ।

Spread the love