କର୍ଣ୍ଣାଟକ ରାଜନୀତି: ଗୋଟିଏ ଦିନରେ ଦେଲେ 31 ମନ୍ତ୍ରୀ ଇସ୍ତଫା

କର୍ଣ୍ଣାଟକ ରାଜନୀତିରେ ଗତ କିଛି ଦିନ ହେଲା ଭୂମିକମ୍ପ ସୃଷ୍ଟି ହୋଇଛି । କୁମାରସ୍ୱାମୀ ସରକାରର 31 ଜଣ ମନ୍ତ୍ରୀ ସୋମବାର ଦିନ ଇସ୍ତଫା ଦେଇଛନ୍ତି । କଂଗ୍ରେସର 21 ଜଣ, ଜେଡିଏସର 9 ଜଣ ଏବଂ ଜଣେ ନିର୍ଦଳୀୟ ବିଧାୟକଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଏବେ ଏହି ରାଜନୈତିକ ସଂକଟକୁ ଅଧିକ ଘନିଭୂତ କରିଛି । ଏପରି ପରିସ୍ଥିତିରେ ମଧ୍ୟ ସରକାର ଉପରେ କିଛି ବିପଦ ନାହିଁ ବୋଲି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଦମ୍ଭୋକ୍ତି ବାରିଛନ୍ତି । କଥାବାର୍ତ୍ତା ମଧ୍ୟମରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି କୁମାରସ୍ୱାମୀ କହିଛନ୍ତି । କହିବା ବାହୁଲ୍ୟ ଯେ କର୍ଣ୍ଣାଟକରେ ଏହି ରାଜନୈତିକ ସଂକଟ ଗତ ଶନିବାରଠାରୁ ଆରମ୍ଭ ହୋଇଛି, ଯେତେବେଳେ କଂଗ୍ରେସର 11 ଜଣ ବିଧାୟକ ଏବଂ ଜେଡିଏସର 3 ଜଣ ବିଧାୟକ ଇସ୍ତଫା ଦେଇ କୁମାରସ୍ୱାମୀ ସରକାରକୁ ବିପଦରେ ପକାଇଥିଲେ । 

ଏହାରି ମଧ୍ୟରେ, ରାଜ୍ୟ ସରକାରକୁ ବଞ୍ଚାଇବା ପାଇଁ କଂଗ୍ରେସ ଏବଂ ଜେଡିଏସ ସକ୍ରିୟ ହୋଇଯାଇଛନ୍ତି । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବୟାନରେ କୁହାଯାଉଛି ଯେ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ କରିବା ଏବଂ ଅସନ୍ତୁଷ୍ଟ ବିଧାୟକଙ୍କୁ ସେଥିରେ ସ୍ଥାନ ଦେବା ପାଇଁ ମନ୍ତ୍ରୀମାନେ ସ୍ୱଇଚ୍ଛାରେ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ପରମେଶ୍ୱରଙ୍କ ନୀବାସରେ ହୋଇଥିବା କଂଗ୍ରେସର ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା ଏବଂ କଂଗ୍ରେସ ସଚିବ କେସି ବେଣୁଗୋପାଳ ସାମିଲ ହୋଇଥିଲେ । ମନ୍ତ୍ରୀ ମଣ୍ଡଳର ଇସ୍ତଫା ପରେ ମଧ୍ୟ କୁମାରସ୍ୱାମୀ ସରକାର ଉପରୁ ସଂକଟ ହଟିଲା ପରି ଦେଖାଯାଉନି । ଯଦି ଜେଡିଏସ-କଂଗ୍ରେସ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିନ୍ତି ତେବେ ସରକାର ଗଢିବା ପାଇଁ ଆବଶ୍ୟକ ଥିବା ଅଙ୍କ ବିଜେପି ପକ୍ଷରେ ହୋଇପାରିବ । 

Spread the love