ବାଜପେୟୀଙ୍କ ଭଳି ୧୩ ମାସରେ ଭାଙ୍ଗିବ କୁମାରସ୍ୱାମୀଙ୍କ ସରକାର?

(ଚାରୁ ଚନ୍ଦନ ଦାଶ ) ୧୯୯୬ ମସିହାରେ ୧୩ ଦିନର ବାଜପେୟୀ ସରକାର ଭାଙ୍ଗିବା ପରେ ପୁଣି ଥରେ ୧୯୯୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ସରକାର ଗଠନ କରିବା ପାଇଁ ସୁଯୋଗ ମିଳିଥିଲା l  ୧୯୯୬ରେ ଘଟିଥିବା ଭୁଲ୍ କୁ ନ ଦୋହରାଇବା ପାଇଁ ବାଜପେୟୀ ସେତେବେଳେ ସହଯୋଗୀ ଦଳ ଗୁଡ଼ିକୁ ନେଇ ଏନଡିଏ ଗଠନ କରିଥିଲେ l ଅବଶ୍ୟ ପୂର୍ବରୁ ବିଜେପିର ସହଯୋଗୀ ଦଳ ହିସାବରେ ୪ଟି ପାର୍ଟି ଥିଲେ ଽ କିନ୍ତୁ ୧୯୯୮ ବେଳକୁ ଏନଡିଏର ସହଯୋଗୀ ଦଳ ହିସାବରେ ୧୩ଟି ଦଳ ରହିଥିଲେ l ସେଥିମଧ୍ୟରୁ ନୂଆ କରି ମିଶିଥିଲେ ଏଆଇଏଡିଏମକେ, ତେଲୁଗୁ ଦେଶମ୍ ପାର୍ଟି, ବିଜୁ ଜନତା ଦଳ ଏବଂ କର୍ଣ୍ଣାଟକର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାମକୃଷ୍ଣ ହେଗଡ଼େଙ୍କ ଲୋକଶକ୍ତି ପାର୍ଟି l  ସେହିପରି ୧୯୯୮ ନିର୍ବାଚନରେ ବିଜେପିକୁ ୧୮୨ ଆସନ ମିଳିଥିବାବେଳେ କଂଗ୍ରେସକୁ ମିଳିଥିଲା ୧୪୧ ଆସନ ଏବଂ ୟୁନାଇଟେଡ୍ ଫ୍ରଣ୍ଟ ବା ସଂଯ଼ୁକ୍ତ ମୋର୍ଚ୍ଚା ଖାତାକୁ ଯାଇଥିଲା ମାତ୍ର ୮୬ଟି ଆସନ l ସେଥିପାଇଁ ସହଯୋଗୀ ଦଳ ଗୁଡ଼ିକ ଉପରେ ଭରସା କରି ଅଟଳ ବିହାରୀ ବାଜପେୟୀ ସରକାର ଗଠନ କରିବାକୁ ରାଷ୍ଟ୍ରପତି କେଆର୍ ନାରାୟଣଙ୍କୁ ଅନୁରୋଧ କରିଥିଲେ l ମାତ୍ର, ରାଷ୍ଟ୍ରପତି ସରକାର ଗଠନ କରିବାକୁ ହେଲେ ସମସ୍ତ ସହଯୋଗୀ ଦଳ ଗୁଡ଼ିକର ଲିଖିତ ଭାବେ ସମ୍ମତି ଆଣିବାକୁ ବାଜପେୟୀଙ୍କୁ କହିଥିଲେ ଽ ଆଉ ବାଜପେୟୀ ତାହା କରିଥିଲେ l ସହଯୋଗୀ ଦଳ ଗୁଡ଼ିକ ମଧ୍ୟରେ ଏଆଇଏଡିଏମକେ ଏବଂ ତାର ସହଯୋଗୀ ଦଳ ଗୁଡ଼ିକର ସାଂସଦ ସଂଖ୍ୟା ସର୍ବାଧିକ ୨୭ ଥିଲା l ତେଣୁ, ସରକାର ଗଠନ କରିବାରେ ଏଆଇଏଡିଏମକେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଽ ମାତ୍ର, ସରକାର ଗଠନ କରିବାର କିଛି ଦିନ ପରେ ନିଜର ବ୍ୟକ୍ତିଗତ ସ୍ୱାର୍ଥ କାରଣରୁ ଏଆଇଏଡିଏମକେ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା l ଆଉ ଏଆଇଏଡିଏମକେର ସମର୍ଥନ ପ୍ରତ୍ୟାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଜନତା ପାର୍ଟିର ପୂର୍ବତନ ନେତା ତଥା ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ୍ ସ୍ୱାମୀ l ରାତ୍ର ଭୋଜନ ଆଳରେ ନୂଆ କରି ଅଧ୍ୟକ୍ଷ ହୋଇଥିବା ସୋନିଆ ଗାନ୍ଧି ଏବଂ ଜୟଲଳିତାଙ୍କୁ ଏକାଠି ମିଶାଇଥିଲେ ସୁବ୍ରମଣ୍ୟନ୍ ସ୍ୱାମୀ l ଏଆଇଏଡିଏମକେର ସମର୍ଥନ ପ୍ରତ୍ୟାହାର କରିବା ଫଳରେ ଗୋଟିଏ ଭୋଟ୍ ଯୋଗୁଁ ବାଜପେୟୀ ସରକାର ଭାଙ୍ଗିଯାଇଥିଲା l ଆଉ ସେଇ ଗୋଟିଏ ଭୋଟ୍ ଥିଲା ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗୋ ଙ୍କର l

atal

ବର୍ତ୍ତମାନ କର୍ଣ୍ଣାଟକର ରାଜନୈତିକ ସ୍ଥିତି ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚିତ ପ୍ରସଙ୍ଗ l ମେଣ୍ଟ ସରକାର ଭାବେ ୧୩ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏଚଡି କୁମାର ସ୍ୱାମୀଙ୍କ ଗାଦି ଏବେ ଟଳମଳ ହେଉଛି l କଂଗ୍ରେସ ଓ ଜେଡିଏସ୍ ବିଧାୟକମାନେ ଇସ୍ତଫା ଦେବା ପରେ ଏବେ ସରକାର ଭାଙ୍ଗିବା ଅବସ୍ଥାରେ ରହିଛି l ଯେ କୌଣସି ମୁହୂର୍ତ୍ତରେ ସରକାର ଏଠାରେ ଭାଙ୍ଗି ଯାଇପାରେ l ତେଣୁ, ଅଧା ବିଦେଶ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ସ୍ୱାମୀ ଏବେ ସରକାର ବଞ୍ଚାଇବାକୁ ଡେମେଜ୍ କଣ୍ଟ୍ରୋଲ ରଣନୀତିକୁ ଆପଣାଇଛନ୍ତି l ଫଳରେ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଏବେ ଇସ୍ତଫା ଦେଇ ଦେଇଛନ୍ତି l  ଖୁବଶୀଘ୍ର ସ୍ୱାମୀ ନିଜର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିପାରନ୍ତି l କିନ୍ତୁ, ନିଜ ଦଳ ଏବଂ ସହଯୋଗୀ ଦଳର ବିଧାୟକଙ୍କ ରୋଷ କୁମାର ସ୍ୱାମୀଙ୍କ ସରକାର ପାଇଁ ଖଣ୍ଡା ଭଳି ଝୁଲି ରହିଛି l  ଅନ୍ୟପଟେ ବିଜେପି ସରକାର ଗଠନ କରିବାକୁ ଫୁଲ୍ ଦମରେ ତୟାର ହେଉଛି ଽ ଶୁଣିବାକୁ ମିଳିଛି କୁଆଡ଼େ ୧୪ ଜଣ ବିଧାୟକ ବିଜେପିକୁ ସମର୍ଥନ କରିବାକୁ ମୁମ୍ୱାଇ ବି ଯାଇ ସାରିଛନ୍ତି l ଏହି ପରିପ୍ରେକ୍ଷୀରେ ସ୍ୱାମୀଙ୍କ ଗାଦି ବଞ୍ଚାଇବା ଏବେ ମୁସ୍କିଲ ହୋଇପଡ଼ିଛି l

69742148.jpg

୨୦୧୮ ନିର୍ବାଚନରେ ସମୁଦାୟ ୨୨୫ (୨୨୪+୧) ଆସନରୁ ବିଜେପିକୁ ମିଳିଥିଲା ୧୦୪ ଆସନ l ସେହିପରି କଂଗ୍ରେସ ଖାତାକୁ ୮୦ଟି ଆସନ ଯାଇଥିବାବେଳେ ଜେଡିଏସ ପାଇଥିଲା ୩୮(ବିଏସପିର ଗୋଟିଏ)ଟି ଆସନ l ସ୍ୱାଧୀନ ଦୁଇ ଜଣ ବିଧାୟକ ମେଣ୍ଟ ସରକାରକୁ ସମର୍ଥନ କରିଥିଲେ ଽ ସଂଖ୍ୟା ଗରିଷ୍ଠତା ୧୧୩ (୧୧୨+୧)ଥିବାବେଳେ ମେଣ୍ଟ ସରକାର ହାତରେ ଥିଲା ୧୨୦ ଆସନ l ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି ଽ ସ୍ୱାଧୀନ ବିଧାୟକ ନାଗେଶ ଖୋଲାଖୋଲି ଭାବେ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିବା ସହ ବିଜେପିକୁ ସମର୍ଥନ କରିବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି l ଅନ୍ୟ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି l ତେଣୁ, ତାଙ୍କୁ ବାଦ୍ ଦେଲେ ଏବେ ମେଣ୍ଟ ସରକାର ହାତରେ ୧୧୮ ଜଣ ବିଧାୟକ ରହିବା କଥା l କିନ୍ତୁ, ୧୧୮ ଜଣଙ୍କ ମଧ୍ୟରୁ ଜେଡିଏସ୍ ଓ କଂଗ୍ରେସର ୧୩ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି l ଏହାପରେ ଏବେ ମେଣ୍ଟ ସରକାରର ସଂଖ୍ୟା ୧୦୫ରେ ପହଞ୍ଚି ଯାଇଛି l ଏବଂ ସ୍ୱାଧୀନ ଦୁଇ ଜଣ ବିଧାୟକଙ୍କ ସମର୍ଥନ ପରେ ଏବେ ବିଜେପିର ସଂଖ୍ୟା ୧୦୭ରେ ପହଞ୍ଚି ସାରିଛି l ତେଣୁ, ଇସ୍ତଫା ଦେଇଥିବା ୧୩ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ଯଦି ବି ବିଜେପିକୁ ସମର୍ଥନ କରନ୍ତି ତେବେ ବିଜେପି ଏଠାରେ ସରକାର ଗଠନ କରିବାରେ ସଫଳ ହେବ l
ତେଣୁ, ବାଜପେୟୀ ସରକାର ଭଳି ଏବେ କର୍ଣ୍ଣାଟକର କୁମାରସ୍ୱାମୀଙ୍କ ସରକାରର ସ୍ଥିତି ହେବାକୁ ଯାଉଛି l ୧୩ ମାସର ଏହି ସରକାର ଭାଙ୍ଗିବା ପାଇଁ ବିଜେପିର ଏହି ଚାଲ୍ ଇତିହାସର ଆଉ ଏକ ପୃଷ୍ଠାରେ ନିହାତି ଲିପିବଦ୍ଧ ହୋଇ ରହିବ l

 

Spread the love