ଭାଇର ମୃତ୍ୟୁ ପରେ ଅନୁକମ୍ପା ଆଧାରରେ ଭଉଣୀ ଚାକିରି ପାଇଁ ଦାବି କରିପାରିବେ ନାହିଁ: କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ଜଣେ ଵ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ଅନୁକମ୍ପା ଆଧାରରେ ଭାଇଙ୍କ ଚାକିରି କରିବାକୁ ଦାବି କରିପାରିବେ ନାହିଁ | କର୍ଣ୍ଣାଟକ ହାଇକୋର୍ଟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନୁକମ୍ପା ଆଧାରରେ ଚାକିରି ପାଇଁ ଆବେଦନ କରିଥିବା ଜଣେ ଭଉଣୀଙ୍କ ପିଟିସନକୁ ଖାରଜ କରିଛନ୍ତି | ପିଟିସନ ଖାରଜ କରି କୋର୍ଟ କହିଛନ୍ତି ଯେ ଭଉଣୀ ତାଙ୍କ ଭାଇଙ୍କ ପରିବାର ଭିତରେ ଆସୁନାହାନ୍ତି | କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରସନ୍ନ ବି ଭାରାଲେ ଏବଂ ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତଙ୍କ ଖଣ୍ଡପୀଠ ତୁମ୍କୁରୁ ନିବାସୀ ୨୯ ବର୍ଷୀୟ ପଲ୍ଲବୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି। କୋର୍ଟ କହିଛନ୍ତି ଯେ ପରିବାର କହିଲେ ଉକ୍ତ ବ୍ୟକ୍ତିଙ୍କ ଭଉଣୀ ଏଥିରେ ଆସୁନାହାନ୍ତି | କୌଣସି କମ୍ପାନୀ ଯେତେବେଳେ କର୍ମଚାରୀଙ୍କର ପରିବାର ବାବଦରେ ଉଲ୍ଲେଖ କରିଥାନ୍ତି ଓ ନିୟମ ନିର୍ଦ୍ଧାରଣ କରିଥାନ୍ତି, ସେତେବେଳେ ପରିବାରରେ ଆଉ ଜଣେ ସଦସ୍ୟଙ୍କୁ ଆମେ ଯୋଡ଼ିପାରିବୁ ନାହିଁ |

ଆମେ ନିର୍ଦ୍ଧାରିତ ପରିବାର ସଜ୍ଞା ଭିତରୁ ନା କାହାକୁ କାଢ଼ିପାରିବୁ ନା କାହାକୁ ଅନ୍ତର୍ଭୁକ୍ତ କରିପାରିବୁ | ଏଭଳି କରିବା ଦ୍ୱାରା ଏହି ନିୟମକୁ ପୁନର୍ବାର ଲେଖିବା ପରି ହେବ, ଏବଂ ତେଣୁ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ। ବାସ୍ତବରେ ଆବେଦନକାରୀ ମାର୍ଚ୍ଚ ୩୦, ୨୦୨୩ ର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ଅନୁକମ୍ପା ଆଧାରରେ ଚାକିରି ଦିଆଯାଇପାରିବ ନାହିଁ ବୋଲି କୁହାଯାଇଥିଲା | ପଲ୍ଲବୀଙ୍କ ଭାଇ ରାଜ୍ୟ ବିଦ୍ୟୁତ୍ ଟ୍ରାନ୍ସମିସନ୍ କମ୍ପାନୀ (ବେସକମ)ରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଆବେଦନକାରୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲା ଯେ ସେ ତାଙ୍କ ଭାଇଙ୍କ ଉପରେ ନିର୍ଭରଶୀଳ ଏବଂ ତେଣୁ ତାଙ୍କ ପରିବାରର ସଦସ୍ୟ ଭାବେ ଅନୁକମ୍ପା ଆଧାରରେ ନିଯୁକ୍ତି ପାଇବାକୁ ଯୋଗ୍ୟ । ତେବେ ବେସକମ ଏହାକୁ ବିରୋଧ କରିଥିଲା ​​|

Spread the love