ଟ୍ୱିଟରକୁ ଝଟକା ଦେଲେ କର୍ଣ୍ଣାଟକ ହାଇକୋର୍ଟ, ସରକାରଙ୍କ ନିର୍ଦ୍ଦେଶ ନ ମାନିବାରୁ ଦେବ ୫୦ ଲକ୍ଷ ଟଙ୍କାର ଜରିମାନା

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ୱିଟରର ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ବର୍ଷେ ଧରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ ନକରିବାରୁ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ | ମିଳିଥିବା ସୂଚନା ମୁତାବକ ଫେବୃଆରୀ ୨୦୨୧ ରୁ ୨୦୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଟ୍ୱିଟରକୁ କିଛି ଆକାଉଣ୍ଟ ବନ୍ଦ କରିବା ସହିତ ଅନେକ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଟ୍ୱିଟର ଏହି ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟକୁ ଯାଇଥିଲା। ବର୍ତ୍ତମାନ କୋର୍ଟ ଏହି ମାମଲାରେ ନିଜର ରାୟ ଦେଇଛନ୍ତି। ଫେବୃଆରୀ ୨୦୨୧ରୁ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ମୋଟ ୧୪୭୪ଟି ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ, ୧୭୫ ଟ୍ୱିଟ୍ ବ୍ଲକ କରିବାକୁ, ୨୫୬ଟି ୟୁଆରଏଲ ଏବଂ ୧ଟି ହ୍ୟାସ୍ ଟ୍ୟାଗ୍ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଆଇଟି ଆକ୍ଟ ୬୯ଏ ଅନୁଯାୟୀ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଥିଲେ ।
ସୋସିଆଲ ମିଡିଆ ମାଧ୍ୟମରେ ଦେଶର ସାର୍ବଭୌମତ୍ୱ ତଥା ଏକତାକୁ କ୍ଷତି ପହଞ୍ଚାଉଥିବା ମେସେଜ ହଟାଇବାକୁ କେନ୍ଦ୍ର ସରକାରଙ୍କର ଅଧିକାର ରହିଛି। ଏଥିମଧ୍ୟରୁ ଟ୍ୱିଟର ୩୯ଟି ୟୁଆରଏଲକୁ ନେଇ କୋର୍ଟରେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିଥିଲା ଏବଂ ଏହାର ଯୁକ୍ତିରେ କହିଥିଲା ଯେ ଏହା ହେଉଛି ନାଗରିକର ମୌଳିକ ଅଧିକାରର ଉଲ୍ଲଂଘନ | ୬ ମାସ ଧରି ଏହି ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଆଦେଶ ଯଥାର୍ଥ । ଏହା ସହିତ କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିବାକୁ ଟ୍ୱିଟର ଆବେଦନକୁ ଖାରଜ କରିଛନ୍ତି। କୋର୍ଟ ରାୟରେ କହିଛନ୍ତି ଯେ ଆଇଟି ଆକ୍ଟ ୬୯ (ଏ) ଅନୁଯାୟୀ ଜାରି କରାଯାଇଥିବା ଆଦେଶ ସମ୍ପର୍କରେ କୋର୍ଟ କେନ୍ଦ୍ର ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ।

Spread the love