କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

କର୍ତ୍ତବ୍ୟ ଭବନ ଜନସେବା ପ୍ରତି ଆମର ଅତୁଟ ସଂକଳ୍ପକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ

ଭବନ ପରିସରରେ ଚାରା ରୋପଣ ମଧ୍ୟ କଲେ ପ୍ରଧାନମନ୍ତ୍ରୀ; ପରିବେଶ ଅନୁକୂଳ ନିର୍ମାଣ ଉପରେ କଲେ ଆଲୋକପାତ

ନୂଆଦିଲ୍ଲୀ, ୬ ଜୁଲାଇ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ତ୍ତବ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ସେ ଏହାକୁ ଜନସେବା ପ୍ରତି ଅତୁଟ ସଂକଳ୍ପ ଓ ନିରନ୍ତର ପ୍ରୟାସର ପ୍ରତୀକ ବୋଲି କହିଛନ୍ତି। ସେ କହିଛନ୍ତି, କର୍ତ୍ତବ୍ୟ ଭବନ କେବଳ ନୀତି ଏବଂ ଯୋଜନାକୁ ଲୋକମାନଙ୍କ ନିକଟରେ ଦ୍ରୁତ ଗତିରେ ପହଞ୍ଚାଇବାରେ ସାହାଯ୍ୟ କରିବ ନାହିଁ, ବରଂ ଦେଶର ବିକାଶକୁ ନୂତନ ଗତି ଦେବ।
ଶ୍ରୀ ମୋଦୀ କହିଛନ୍ତି, କର୍ତ୍ତବ୍ୟ ଭବନ ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ଆମର ସଂକଳ୍ପକୁ ପ୍ରତିଫଳିତ କରିଥାଏ। ଆଜି, ଦେଶ ଆମର ଶ୍ରମଯୋଗୀମାନଙ୍କର ଅକ୍ଳାନ୍ତ କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଖିଛି ଯେଉଁମାନେ ଏହାକୁ ଗଠନ କରିଛନ୍ତି। ସେ ସେମାନଙ୍କ ସହିତ ଆଲୋଚନା କରିବା ସମୟରେ ଖୁସି ମଧ୍ୟ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ପରିବେଶ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇ ଏହି କୋଠା ବିକଶିତ କରାଯାଇଛି। ଏହି ଅବସରରେ, ପ୍ରଧାନମନ୍ତ୍ରୀ କର୍ତ୍ତବ୍ୟ ଭବନ ପରିସରରେ ଏକ ଚାରା ମଧ୍ୟ ରୋପଣ କରିଥିଲେ। ପ୍ରଧାନମନ୍ତ୍ରୀ ଏକାଧିକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି;  କର୍ତ୍ତବ୍ୟ ପଥରେ କର୍ତ୍ତବ୍ୟ ଭବନ ଆମର ଅତୁଟ ସଂକଳ୍ପ ଏବଂ ଲୋକଙ୍କ ସେବା ପାଇଁ ନିରନ୍ତର ପ୍ରୟାସର ପ୍ରତୀକ। ଏହା କେବଳ ଆମର ନୀତି ଓ ଯୋଜନାକୁ ଲୋକଙ୍କ ପାଖରେ ଦ୍ରୁତ ଗତିରେ ପହଞ୍ଚାଇବାରେ ସହାୟକ ହେବ ନାହିଁ, ବରଂ ଏହାଦ୍ୱାରା ଦେଶର ବିକାଶକୁ ଏକ ନୂତନ ଗତି ମିଳିବ। ଅତ୍ୟାଧୁନିକ ଭିତ୍ତିଭୂମିର ଏକ ଉଦାହରଣ ଏହି ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରି ମୁଁ ବହୁତ ଗର୍ବିତ।

Spread the love