ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ

ପୁରୀ,୨୧|୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତି ଆରମ୍ଭ ହୋଇଥିଲେ ମଧ୍ୟ ଆଜିଠୁ ହବିଷ୍ୟାଳିମାନେ ସଂକଳ୍ପ କରି ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ । ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ । ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳିମାନେ ପୁରୀ ନଆସି ଘରେ ରହି କାର୍ତ୍ତିକ ବ୍ରତ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ମଠବାଡି, ହୋଟେଲ, ଲଜିଂରେ ହବିଷ୍ୟାଳିଙ୍କୁ ନରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହବିଷ୍ୟାଳି ଓ ଭକ୍ତମାନେ କେମିତି ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ ସେନେଇ ସେବାୟତଙ୍କ ସହ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ।

ଏତତ ବ୍ୟତୀତ, ଜଗନ୍ନାଥଙ୍କ କୋଠ ଭୋଗ ପାଇଁ ପିପିଲରୁ ଗଲା ନଡ଼ିଆ । ଧର୍ମ ମାସ କାର୍ତ୍ତିକରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରତିଦିନ ଲାଗିହେବ କୋଠ ଭୋଗ । ପିପିଲିରୁ ଶ୍ରଦ୍ଧାଳୁମାନେ ଶହଶହ ସଂଖ୍ୟାରେ ନଡ଼ିଆ ପଠାଇଥାନ୍ତି । ଯାହାକି ପିପିଲି ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ସମ୍ପର୍କର ପ୍ରଧାନ୍ୟତା ସୁପ୍ରତିଷ୍ଠିତ କରିଛି ।

ବିଶେଷକରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନିକ କୋଠଭୋଗ ପାଇଁ ନଡ଼ିଆ କମ ପଡ଼ିବା ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପିପିଲି ବ୍ଲକର ଗୋବର୍ଦ୍ଧନପୁର ସ୍ଥିତ ଗତିଶ୍ୱର ଦେବ ମନ୍ଦିରକୁ ଦାୟିତ୍ୱ ଦେଇଥିଲେ । ସେହିଦିନ ଠାରୁ ୭ ବର୍ଷ ଧରି ପିପିଲି ଗୋବର୍ଦ୍ଧନପୁରର ଜଗନ୍ନାଥପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଗତିଶ୍ୱର ଦେବଙ୍କ ପୀଠରୁ ପ୍ରତ୍ୟେକ ବର୍ଷ କୁମାରପୂର୍ଣ୍ଣମୀ ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ କୋଠଭୋଗ ପାଇଁ ନଡ଼ିଆ ପଠା ଯାଇଥାଏ । ପ୍ରଥମ ବର୍ଷ ୩୬୫ କଡ଼ା ନଡ଼ିଆ ଶ୍ରୀମନ୍ଦିରକୁ ପଠାଯାଇଥିଲା ବେଳେ ଚଳିତଥର ୮୦୦ରୁ ଉର୍ଦ୍ଧ୍ୱ ନଡ଼ିଆ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶ୍ରୀମନ୍ଦିରକୁ,ପଠାଯାଇଛି ।

Spread the love