କାର୍ତ୍ତିକ ପ୍ରଥମ ସୋମବାର, ଧବଳେଶ୍ୱରଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ

ଆଠଗଡ ୧୦/୧୦: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଧାର୍ମିକ ବିଶ୍ବାସ ରହିଛି ଯେ ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ଗତ ଦୁଇ ବର୍ଷର କୋଭିଡ କଟକଣା ପାଇଁ ଦର୍ଶନରୁ ବଂଚିତ ଥିଲେ ଶ୍ରଦ୍ଧାଳୁ । ଚଳିତ ବର୍ଷ କୋଭିଡ କଟକଣା ହଟିବା ପରେ କାର୍ତ୍ତିକ ପ୍ରଥମ ସୋମବାରରେ ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହ ପୀଠରେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ । ପୂଜକ ସମିତି ପକ୍ଷରୁ ଭୋର୍ ୪ଟାରୁ ମନ୍ଦିରର ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ମଇଲମ୍, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।

ସୂଚନା ଥାଉ କି ଚଳିତ ବର୍ଷ ପଞ୍ଚକ ବ୍ରତ ଆସନ୍ତା ୦୪-୧୧-୨୦୨୨ ଠାରୁ ଆରମ୍ଭ ହୋଇ ୦୮ -୧୧-୨୦୨୨ କାର୍ତ୍ତିକ ପୂର୍ଣ୍ଣିମା ରେ ଶେଷ ହେବ । ପୀଠ ମଧ୍ୟରେ ୦୬-୧୧-୨୨ (ରବିବାର) ଦିନ ବଡ଼ଓଷା ପାଳନ କରାଯାଇ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଗଜଭୋଗ କରାଯାଇ ପରଦିନ ୦୭-୧୧-୨୦ ସୋମବାର ଦିନ ଗଜଭୋଗ ବିତରଣ କରାଯିବ। ଚଳିତବର୍ଷ ପ୍ରଥମ ପଞ୍ଚୁକରେ ଚନ୍ଦ୍ରଚୁଡ ବେଶ ଦ୍ୱିତୀୟ ଓ ପଞ୍ଚମ ଦିନରେ ଗଙ୍ଗାଧର ବେଶ, ବଡ଼ଓଷା ତଥା ତୃତୀୟ ଓ ଚତୁର୍ଥ ଦିନରେ ବଡ଼ସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେବା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର ।

Spread the love