ସହାନୁଭୂତି ସାଉଁଣ୍ଟି ପାରିଲାନି ‘ଦି କାଶ୍ମୀର ଫାଇଲସ୍’! ପଣ୍ଡିତଙ୍କୁ ପୁଣି ମିଳିଲା ଧମକ୍, ଉପତ୍ୟାକା ଛାଡି ଚାଲି ଯାଅ
ଜମ୍ମୁ-କାଶ୍ମୀର ୧୫।୪: ନବେ ଦଶକରେ କାଶ୍ମୀର ପଣ୍ଡିତଙ୍କ ପ୍ରତି ହୋଇଥିବ ହିଂସାକୁ ନେଇ ‘ଦି କାଶ୍ମୀର ଫାଇଲସ୍’ ସାରା ଦେଶରେ ଏବେ ଚର୍ଚ୍ଚା ସାଉଁଟୁଛି। ଅନ୍ୟପକ୍ଷରେ ଫିଲ୍ମକୁ ନେଇ ରାଜନୈତିକ ଫାଇଦା ହାସଲ ପାଇଁ ଉଦ୍ୟମ ଚାଲିଥିଲେବି କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପ୍ରତି ଏପର୍ଯ୍ୟନ୍ତ କାହାର ଧ୍ୟାନ ଯାଇନି। ଫଳରେ ପଣ୍ଡିତମାନଙ୍କୁ ଏବେ ପୁଣି ଥରେ ଧମକ ଭରା ଚିଠି ମିଳୁଥିବା ବେଳେ ଉପତ୍ୟାକାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।
ଆତଙ୍କବାଦୀମାନେ ପଣ୍ଡିତଙ୍କୁ ଖୋଲାଖୋଲି ଇସ୍ଲାମ ଧର୍ମ ଗ୍ରହଣ କରିବାକୁ ନଚେତ କାସ୍ମୀର ଛାଡି ଚାଲିଯିବାକୁ ଧମକ ଦେଉଛନ୍ତି। ଆତଙ୍କବାଦୀମାନେ ଉପତ୍ୟାକାରେ ବସବାସ କରୁଥିବା ହିନ୍ଦୁଙ୍କୁ ପତ୍ର ଲେଖି ଏପରି ଧମକ ଦେଉଥିଲେ ବି ସେଥିପ୍ରତି ଏବେ କାହାର ନଜର ନାହିଁ। କୁହାଯାଉଛି ଏପରି ଧମକପୂର୍ଣ୍ଣ ପତ୍ର କାଶ୍ମୀରରେ ନିଷିଦ୍ଧ ସଙ୍ଗଠନ ଲସ୍କର-ଏ-ଇସ୍ଲାମ ଲେଖୁଛି। ବାରାମୂଲାରେ ରହୁଥିବା କାଶ୍ମୀର ବ୍ରାହ୍ଣଣ ପରିବାର ମୁଖ୍ୟ ବିଜୟ ରୈନାଙ୍କୁ ଏହି ଭଳି ଏକ ପତ୍ର ମିଳିଛି।
ଏଥିରେ ତାଙ୍କୁ ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରକ୍ଷା କରିପାରିବେ ନା ଗୃହମନ୍ତ୍ରୀ ଅମିତ ଶାହ ପିଠିରେ ପଡିବେ। କିଛି ହେବା ପୂର୍ବରୁ ଇସ୍ଲାମ ଗ୍ରହଣ କର ନଚେତ ଉପତ୍ୟାକା ଛାଡି ପଳାଅ ବୋଲି ପତ୍ରରେ ଧମକ ଦିଆଯାଇଛି। କେବଳ ବିଜୟ ରେନା ନୁହନ୍ତି ନିକଟରେ ଥିବା ବୀରଭନ କଲୋନୀର ଲୋକଙ୍କୁ ମଧ୍ୟ ଏପରି ପତ୍ର ସବୁ ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ ଏହି କଲୋନୀରେ ପ୍ରଧାନମନ୍ତ୍ରୀ ପ୍ୟାକେଜ୍ରେ କାଶ୍ମୀର ଉପତ୍ୟାକାରେ ଚାକିରୀବାକିରୀ କରୁଥିବା କାଶ୍ମୀର ପଣ୍ଡିତ ଓ ସେମାନଙ୍କ ପରିବାର ବସବାସ କରୁଛନ୍ତି।
ତେବେ ଲସ୍କର-ଏ-ଇସ୍ଲାମର ଏପରି ଧମକପୂର୍ଣ୍ଣ ପତ୍ରରେ ଏବେ ଲୋକେ ଡରିବାର ନୁହନ୍ତି। କାରଣ କାଶ୍ମୀର ଉପରେ କାଶ୍ମୀର ପଣ୍ଡିତଙ୍କର ସେତିକି ହକ୍ ଅଛି ଯେତିକି ଅନ୍ୟ ସମୂଦାୟର ଲୋକଙ୍କର ରହିଛି। ପଣ୍ଡିତ ହୁଅନ୍ତୁ କି ସାଧାରଣ ଲୋକେ ସମସ୍ତେ ଉପତ୍ୟାକାରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଚାହାନ୍ତି। ସମସ୍ତେ ଏବେ କାଶ୍ମୀରର ବିକାଶ ଚାହୁଁଛନ୍ତି। ଆତଙ୍କବାଦ ପ୍ରତି ସମସ୍ତଙ୍କର ବିତୃଷ୍ଣା ଆସି ସାରିଲାଣି। ଏଥିରେ ଡରେଇବା ଧମକେଇବା କିଛି ଲୋକେ ଓ ସଙ୍ଗଠନଙ୍କ ଅଭ୍ୟାସରେ ପଡି ଯାଇଥିବା ରୈନା କହିଛନ୍ତି। ତେବେ ପତ୍ରର ନକଲ କାଶ୍ମୀର ଉପରାଜ୍ୟପାଳଙ୍କ ନିକଟକୁ ପଠାଇ କାଶ୍ମୀର ପଣ୍ଡିତମାନେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାପଡିଛି।