ଶାରଦୀୟ ସମ୍ଭାର ନେଇ ଆସିଛି କାଶତଣ୍ଡି

ପାର୍ବଣ ଋତର ଆଗମନରେ ଥିରି ଥିରି ପବନରେ କାଶତଣ୍ଡି ଫୁଲ ଖିଲି ଖିଲି ହସିଥାଏ । ଧୋବ ଫର ଫର ହୋଇ ଝଟକି ଥାଏ ସୂର୍ଯ୍ୟଙ୍କ କିରଣରେ । ଚାନ୍ଦି ପରି ଚିକ୍ ଚିକ୍ କରି ଝଟକି ଥାଏ ଏହି ଧରାପୃଷ୍ଠରେ। ପୁଣି କେତେ ବେଳେ ମେଘୁଆ ଆକାଶର ଭଷା ବାଦଲ ସହିତ ତାଳ ଦେଇ ନାଚି ଉଠିଥାଏ । ବୁଦା ବୁଦା ଫୁଲ ଶରତେ ଖେଳି ବୁଲୁଥାଏ । ସ୍ଥାୟିତ୍ଵ ନଥିବାରୁ ସବୁ ଦୁଃଖକୁ ଜାବୁଡି ଧରି ପଡି ରହିଥାଏ ।

ସ୍ଵଳ୍ପ ସମୟ ପାଇଁ ହେଲେ  ମଧ୍ୟ ମନ ଖୋଲା ହସ ମଧ୍ୟରେ ହଜେଇ ଦେଇଥାଏ ନିଜକୁ । ଖେଳି ବୁଲୁଥାଏ ଏହି ଧରଣୀ ବକ୍ଷରେ ।କାଶତଣ୍ଡି । ଯାହାର ମହକ ନଥିଲେବି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାଏ । ନଦୀ ପଠା ଠାରୁ ଆରମ୍ଭ କରି ପୋଖରୀ ହୁଡା ଓ ପଡିଆ ମଧ୍ୟରେ ଦେଖିବାକୁ ମିଳିଥାଏ କାଶତଣ୍ଡିର ମେଳ । ବାଟ ଚଲା ଲୋକଟିଏ ବି କିଛି ସମୟ ପାଇଁ ଅଟକି ରହିଯାଏ ଏହି ଫୁଲକୁ ଦେଖି । କାଶତଣ୍ଡି ଫୁଲକୁ ଦେଖି ପ୍ରକୃତି ରାଣି ହସି ଉଠିଥାଏ । କବି, ସାହିତ୍ୟିକ ମାନେ ଆନନ୍ଦ ଅନୁଭବ କରିଥାଆନ୍ତି ।

ଶାରଦୀୟ ସମ୍ଭାର ନେଇ ଆସିଥାଏ କାଶତଣ୍ଡି । ପବନର ଛୁଆଁ ସହିତ ଦେବୀ ଦୂର୍ଗାଙ୍କ ନିକଟରେ ନିଜକୁ ସମର୍ପିବା ଲାଗି କରିଥାଏ ଅପେକ୍ଷା । ଏହାକୁ ଦେଖି କବି ଭାବୁକ ମାନେ କଲମ କାଗଜ ଧରି ବସିଯାଆନ୍ତି କିଛି ସମୟ ପାଇଁ ଏହାକୁ ବର୍ଣ୍ଣନା କରିବାକୁ । ଆଶ୍ଵୀନ ମାସର ଶରତ ଋତୁରେ କାଶତଣ୍ଡିର ପସରା ଦେଖିବାକୁ ମିଳିଥାଏ । ବହୁ କମ୍ ସମୟ ଅନ୍ୟକୁ ସୌନ୍ଦର୍ଯ୍ୟ ବାଣ୍ଟି ନିଜର ସତା ହରାଇ ବସେ । କିଏ ଏହାକୁ ନେଇ କାଇଁସ ଡଲା ବୁଣିଥାଏ ତ ପୁଣି କିଏ ଝାଡୁ ତିଆରି କରିଥାଏ । ପୂଜାରେ ଏହି ଡାଲାକୁ ବିକି ବେଶ ଦୁଇ ପଇସା ରୋଜଗାର କରିଥାଆନ୍ତି ବେପାରୀ ମାନେ । ହେଲେ ଏହାର ମହକ ନଥିବାରୁ ଆଦର ପାଇ ନଥାଏ କେଉଁ ଠାରୁ ।

ଏହି ଧରା ପୃଷ୍ଠରେ ସଜାଇ ହୋଇଥାଆନ୍ତି ଅନେକ ରଙ୍ଗ ବେରଙ୍ଗର ଫୁଲ । କେଉଁ ଫୁଲ ତା ମହକରେ କୋଣ ଅନୁକୋଣରେ ବାସ୍ନାର ମହକ ଭରିଦେଇ ଥାଏ ତ ପୁଣି କିଏ ମହକ ନଥାଇ ବାଟ ଚଲା ଲୋକଙ୍କୁ ଆକର୍ଷଣ କରିଥାଏ । ହେଲେ ଆଶ୍ଵୀନ ମାସର କଅଁଳିଆ ବାଦଲର ହାଲକା ପବନ ମଧ୍ୟରେ ଯିଏ  ଖିଲି ଖିଲ ଗୀତ ଗାଇ ଖେଳି ବୁଲେ ଧରଣୀ ବକ୍ଷରେ । ମନ ମୁଗ୍ଧ କରିଥାଏ କବି,ଭାବୁକ ଓ ବାଟଚଲା ପଥିକଙ୍କୁ । ପାର୍ବଣର ଆଗମନରେ କାଶତଣ୍ଡି ଫୁଲ ଯିଏ ସଜେଇ ଦେଇଥାଏ ଧରଣୀ ରାଣୀକୁ । ସଭିଙ୍କ ମନରେ ବାଣ୍ଟି ଦେଇଥାଏ ଶାନ୍ତିର ବାର୍ତ୍ତା ।

Spread the love

Leave a Reply

Your email address will not be published. Required fields are marked *