କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ

ନୂଆଦିଲ୍ଲୀ, ୧୬/୦୫: ନିଆଯିବ ପ୍ରତିଶୋଧ । କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିବା ଦୁର୍ବୃତ୍ତଙ୍କୁ କ୍ଷମା ନାହିଁ । ସେନା ପ୍ରତିଶୋଧ ନେବ । ନୀରିହ ଲୋକଙ୍କ ଜୀବନ ନେଉଥିବା ଆତଙ୍କବାଦୀଙ୍କୁ ଛଡା ଯିବନି ବୋଲି କହିଛନ୍ତି ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା।

ସୂଚନାନୁସାରେ, ଘାଟୀରେ ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରିବା ପରେ ରବିବାର ପିପୁଲ୍ସ ଆଲାଇନ୍ସ ଫର ଗୁପକାର ଡିକ୍ଲାରେସନର ନେତାମାନେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିଥିଲେ। ଏହାପରେ ମନୋଜ ସିହ୍ନା କହିଥିଲେ ଯେ, ନିର୍ଦ୍ଦୋଷ ଲୋକଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ସୁରକ୍ଷାବାହିନୀକୁ ପୂର୍ଣ୍ଣ ସ୍ଵାଧିନତା ଦିଆଯାଇଛି। ଫାରୁଖ ଅବଦ୍ଦୁଲ୍ଲା, ପିଡିପି ପ୍ରମୁଖ ମେହବୁବା ମୁପ୍ତି, ସିପିଆଇଏମ୍ ନେତା ଏମୱାଇ ତାରିଗାମୀ, ନ୍ୟାସନାଲ କନଫରେନ୍ସ ନେତା ଏମପି ହସନୈନ ମସୁଦୀ, ଅୱାମୀ ନ୍ୟାସନାଲ କନଫରେନ୍ସ ବରିଷ୍ଠ ଉପାଧ୍ୟକ୍ଷ ମୁଜାଫର ଶାହା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ଉପରାଜ୍ୟପାଳ ଗୁପକାର ନେତାମାନଙ୍କୁ ମଧ୍ୟ ଏଭଳି କହି ଆଶ୍ଵାସନା ଦେଇଥିଲେ।

ଏହାସହ ସେ କହିଥିଲେ ଯେ, ଘାଟୀରେ ଯେଉଁମାନେ ଆତଙ୍କବାଦୀଙ୍କୁ ଶରଣ ଦେଉଛନ୍ତି ସେମାନଙ୍କର ନିସ୍ତାର ନାହିଁ। କାଶ୍ମୀର ପଣ୍ଡିତମାନଙ୍କୁ ସୁରକ୍ଷା ଦେବାକୁ ସ୍ଥାନୀୟ ପ୍ରଶାସନ ଯଥା ସମ୍ଭବ ଚେଷ୍ଟା କରୁଛି। କାଶ୍ମୀର ପଣ୍ଡିତମାନଙ୍କ ସମସ୍ୟା ସମାଧାନ ପାଇଁ ସଚିବାଳୟରେ ଏକ ସ୍ପେଶାଲ୍ ସେଲ୍ ତିଆରି କରାଯାଇଛି।

ତେବେ ଆତଙ୍କବାଦ ରୋକିବାକୁ ସବୁ ନେତାମାନଙ୍କୁ ପରାମର୍ଶ ଦେବାକୁ ଉପରାଜ୍ୟପାଳ ଆହ୍ଵାନ କରିଥିଲେ। ସେ କହିଥିଲେ ଯେ, ସବୁ ବର୍ଗର ଲୋକମାନଙ୍କ ପାଇଁ ତାଙ୍କ ଦ୍ଵାର ସବୁବେଳେ ଖୋଲା ଅଛି। କାଶ୍ମୀରର ଉନ୍ନତି ପାଇଁ ଯଦି କେହି ପରାମର୍ଶ ଦେବାକୁ ଚାହୁଁଛନ୍ତି ତେବେ ସେମାନେ ନିର୍ଦ୍ଵନ୍ଦରେ ଦେଇପାରିବେ ବୋଲି ସେ କହିଥିଲେ ।

Spread the love