ପାତ୍ରପୁଟ ବ୍ରିଜ ନିକଟରେ ବୋଲବମ କାଉଡିଆଙ୍କୁ ପ୍ରଶାସନ ପକ୍ଷରୁ ମିଳୁନି ସହଯୋଗ

ଜୟପୁର: ଆସନ୍ତାକାଲି ପବିତ୍ର ଯୋଡା ଶ୍ରାବଣ ମାସର ତୃତୀୟ ସୋମବାର। ଏହିଦିନ ରାଜ୍ୟର ପ୍ରମୁଖ ଶୌବପୀଠ ଗୁପ୍ତେଶ୍ବରରେ ଜଳଲାଗି କରିବା ପାଇଁ ‌‌ବୋଲବମ ମାନସିକ ବ୍ରତଧାରୀ କାଉଡିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅବିଭକ୍ତକୋରାପୁଟ ଜିଲା ସମେତ, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ସୋନପୁର, ଗଂଜାମ, ଆନ୍ଧ୍ର, ଛତିଶଗଡ,ତେଲେଙ୍ଗାନ୍ନା ଆଦି ଅଂଚଳରୁ ଶହ ଶହ କାଉଡିଆ ମାନେ ଜଳଲାଗି କରିବାକୁ ଆସୁଛନ୍ତି।

ଆଜି ଶତାଧିକ ଶ୍ରଦ୍ଧାଳୁ ବ୍ରତଧାରୀ ଜୟପୁର ବ୍ଲକର ପାତ୍ରପୁଟ ବ୍ରିଜର ଉଭୟ ପାର୍ଶ୍ବରେ କୋଲାବ ନଦୀରେ ଓହ୍ଲାଇ ଗାଧେଇବା ସହ ଏଠାରୁ କାଉଡିରେ ପାଣି ଉଠାଇ ପୂଜା ଅର୍ଚ୍ଚନା କରି ଗୁପ୍ତେଶ୍ବର ଅଭିମୁଖେ ଚାଲି ଚାଲି ବାହାରିଥିଲେ। ଏପରିକି ବହୁ ମହିଳା, ଛୋଟ ଛୋଟ ଝିଅ ବି ଗେରୁଆ ବସ୍ତ୍ର ପିନ୍ଧି ଏହି କାଉଡି ଯାତ୍ରାରେ ସାମିଲ ହୋଇଥିଲେ। ପାତ୍ରପୁଟ ବ୍ରିଜ୍ ନିକଟରେ ଦେବୋତ୍ତର ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କିଛି ସୁବ୍ୟବସ୍ଥା କରାଯାଇନି। ଏପରିକି ସାମାନ୍ୟତମ ଲାଇଟ୍, ବ୍ୟାରିକେଡ୍ କିମ୍ବା ପାଣି କାଉଡି ରଖିବା, ପୂଜା କରିବା ପାଇଁ ବି କିଛି ସୁବ୍ୟବସ୍ଥା କରି ନଥିବାରୁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି ନଦୀରେ ଓହ୍ଲାଇବା ଏବଂ ପାଣି ଭରି ବାହାରିବା ବି ବିପଦସଂକୁଳ। ଏହା ପରିସରରେ ଘଡିଆଳ ରହିଥିବା ବି ବନବିଭାଗ ପରୁ ସୂଚନା ମିଳିଛି। ଗତ  ଦୁଇ  ସପ୍ତାହର ଶ୍ରଦ୍ଦାଳୁଙ୍କ ଭୀଡ଼ ଦେଖି ପ୍ରଶାସନ ଓ ଦେ‌ବୋତ୍ତର ବିଭାଗ ପକ୍ଷରୁ ପାତ୍ରପୁଟ ବ୍ରିଜ୍ ନିକଟରେ ଏସବୁ ସୁବିଧା ଉପଲବ୍ଧ କରାଇବା ଆବଶ୍ୟକ ରହିଥିବା ଶ୍ରଦ୍ଧାଳୁ ଭକ୍ତ ମାନେ କହିଛନ୍ତି।

ଗୁପ୍ତେଶ୍ବର ପର୍ଯ୍ୟନ୍ତ ରାସ୍ତା କାମ ସରିଥିବା ବେଳେ ମନ୍ଦିର ସମ୍ମୁଖ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ମେଟାଲ ଓ ଚିପସ୍ ଗୁଡିକ ବାହାରି ପଡ଼ିଥିବାରୁ ଖାଲି ପାଦରେ  ଭକ୍ତ ମାନେ ଚାଳି ଯିବା ପାଇଁ ସମସ୍ୟା ସୃଷ୍ଟି ହେଉଛି  ବୋଲି ବହୁ ଭକ୍ତ କହିଛନ୍ତି। ସେଭଳି ରାମଗିରୀରୁ ଗ‌ୁପ୍ତେଶ୍ବର ପର୍ଯ୍ୟନ୍ତ ଜୟପୁରର ଶାବରୀ ଅନୁଷ୍ଠାନ ପକ୍ଷରୁ ଗଛ ଗୁଡିକରେ କିରୋସିନୀ ଡିବିରୀ ଲାଇଟ୍ ଲଗାଇ କାଉଡିଆଙ୍କୁ ବାଟ କଡାଉଛନ୍ତି। ପ୍ରଶାସନ ତୁରନ୍ତ ପାତ୍ରପୁଟ ବ୍ରିଜ୍ ନିକଟରେ ଭକ୍ତଙ୍କ ମୌଳିକ ଆବଶ୍ୟକତା ପୁରଣ କରୁ ବୋଲି ଦାବି ହୋଇଛି।

Spread the love