କେବିସି ନାଁରେ ଲକ୍ଷାଧିକ ଟଙ୍କାର ସାଇବର ଠକେଇ : ୩୫ ଲକ୍ଷ ଜିତିଛ କହି ଠକିନେଲେ ୧ଲକ୍ଷ ୬୯ ହଜାର

ଝାରସୁଗୁଡ଼ା,୨/୩: ‘କୋନ୍ ବନେଗା କରୋଡ ପତି’ (କେବିସି)ରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି କହି ବେଲପାହାଡ ଗାନ୍ଧିନଗରର ଜଣେ ଦିନ ମଜୁରିଆଙ୍କ ଠାରୁ ୧ ଲକ୍ଷ ୬୯ ହଜାର ଟଙ୍କାର ସାଇବର ଠକେଇ ହୋଇଛି। ଠକେଇର ଶିକାର ହୋଇଥିବା ଯୁବତୀ ଜଣକ ଗାନ୍ଧୀନଗରର ଶକ୍ତି ଛତରଙ୍କ ଝିଅ ନିତା ଛତର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଗତ ୨୩ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ନିତାଙ୍କ ପାଖକୁ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣକ ନିଜକୁ କୋନ ବନେଗା କରୋଡ ପତିର ସଦସ୍ୟ ହିସାବରେ ପରିଚୟ ଦେଇ ନିତାଙ୍କୁ ଆପଣ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କହିଥିଲା। ନିତା ସେ କେମିତି ଲଟେରୀ ଜିତିଲେ ସେ ତ କିଛି କରି ନାହାନ୍ତି ବୋଲି ପଚାରିବାରୁ, ଲକି ସିମ ଡ୍ର ରେ ଆପଣ ଲଟେରୀ ଜିତିଛନ୍ତି ବୋଲି ଫୋନ କରିଥିବା ବ୍ୟକ୍ତି ଜଣକ କହିଥିଲେ। ଏହି କଥାକୁ କାହାକୁ ନକହବା ପାଇଁ କହିଥିଲେ। ପରଦିନ ଅର୍ଥାତ ଗତ ୨୪ ତାରିଖ ପୁଣି ସେହି ବ୍ୟକ୍ତିଜଣକ ଫୋନ କରି ଲଟେରୀ ଟଙ୍କା ଆପଣଙ୍କ ଆକାଉଣ୍ଟରେ ପକାଇ ଦିଆଯିବ, ହେଲେ ଏଥିପାଇଁ ବିକାଶ ରାମ ନାମରେ ଥିବା ଏକ ଆକାଉଣ୍ଟ ନମ୍ବର ଦେଇ ୧୮ହଜାର ୨ଶହ ଟଙ୍କାର ସରକାରୀ ଟେକ୍ସ ବାବାଦରେ ଜମା କରିବା ପାଇଁ କହିଥିଲା। ନିତା ତାଙ୍କ ପରିବାରବର୍ଗଙ୍କ ସହ ଯାଇ ବେଲପାହାଡର ଏକ ମନି ଟ୍ରାନ୍ସଫର ଦୋକାନରୁ ସେହି ଆକାଉଣ୍ଟରେ ୧୮ ହଜାର ୨ଶହ ଟଙ୍କା ପଠାଇଥିଲେ। ଏହାପରେ ସାଇବର ଠକ ପୁଣି ନିତାକୁ ଫୋନ କରି ୩୫ ହଜାର, ୩୧ ହଜାର ଓ ୫ ହଜାର ଟଙ୍କା ଜମା କରିବା ପରେ ତାଙ୍କ ଆକାଉଣ୍ଟକୁ ୩୫ ଲକ୍ଷ ଆସିବ ବୋଲି କହିଥିଲା। ନିତା ଏଥିରେ ରାଜି ହୋଇ ଗତ ୨୪ ତାରିଖ ଦିନ ସାଇବର ଠକ ମାଗିଥିବା ସମସ୍ତ ଟଙ୍କା ପୈଠ କରିଥିଲେ। ଏହାପରେ ଠକ ଜଣକ ନିତାଙ୍କ ଓାଟସପ ନମ୍ବର ଏକେ ୩୫ ଲକ୍ଷ ଟଙ୍କାର ଚେକ ପଠାଇଥିଲା। ଏବଂ ୨୫ ତାରିଖ ଚେକକୁ ତାଙ୍କ ପାଖକୁ ପଠାଇ ଦିଆଯିବ କିନ୍ତୁ ଏ ବାବଦରେ କାହାକୁ କିଛି ନ ଜଣାଇବା ପାଇଁ କହିଥିଲା। ଏହାପରେ ସାଇବର ଠକ ପୁଣି ୨୫ ତାରିଖ ନିତାକୁ ଫୋନ କରି ଆହୁରି ୪୦ ହଜାର ଟଙ୍କା ପୈଠ କରନ୍ତୁ ୫ ମିନିଟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୫ ଲକ୍ଷ ଡିପୋଜିଟ ହୋଇଯିବ କହିଥିଲା। ନିତା ସଙ୍ଗେ ସଙ୍ଗେ ୪୦ ହଜାର ଟଙ୍କା ସାଇବର ଠକର ଆକାଉଣ୍ଟରେ ଜମା କରିଥିଲେ। ଏହାପରେ ସାଇବର ଠକ ନିତାକୁ ଆହୁରି ୪୦ ହଜାର ଟଙ୍କା ମାଗିଥିଲା। ୩୫ ଲକ୍ଷ ଟଙ୍କାର ଲଟେରୀ ମିଳିବା ଆଶାରେ ପୁଣି ୪୦ ହଜାର ଟଙ୍କା ଠକ ଆକାଉଣ୍ଟରେ ନିତା ଜମା କରିଥିଲେ। ହେଲେ ମଧ୍ୟ ତାଙ୍କ ପାଖକୁ କୌଣସି ଲଟେରୀ ପଇସା ଆସିଲା ନାହିଁ। ୨୬ ତାରିଖ ଦିନ ସାଇବର ଠକ ପୁଣି ନୀତାଙ୍କୁ ଫୋନ କରି ସେ ୬୫ ହଜାର ଟଙ୍କା ପଠାଇଲେ କେବିସିରେ କାମ କରୁଥିବା ତାଙ୍କର ଜଣେ ସଦସ୍ୟ ଦୁବାଇ ଯାଇ ଟଙ୍କା ଆଣିବ ବୋଲି କହିଥିଲା। ହେଲେ ନିତା ତାଙ୍କ ପରିବାରବର୍ଗର ବର୍ଷବର୍ଷର ଜମା ପୁଞ୍ଜି ସବୁ ଠକକୁ ଦେଇ ସାରିଥିଲେ। ତାଙ୍କ ପାଖରେ ଆଉ କୌଣସି ଠଙ୍କା ନଥିଲା।

ତେଣୁ ସେ ସାଇବର ଠକକୁ ଆଉ ଟଙ୍କା ଦେଇ ପାରି ନଥିଲେ। ହେଲେ ସାଇବର ଠକ ଜଣକ ୬୫ ହଜାର ନଦେଲେ ଲଟୋରୀ ଟଙ୍କା ମିଳିବ ନାହିଁ ବୋଲି ନିତାକୁ କହିବାରୁ ସେ ଶେଷରେ ଠକେଇର ଶୀକାର ହୋଇଥିବା ବୁଝିପାରି ବୋଲପାହାଡର ଦ୍ୱାରସ୍ତ ହୋଇଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ।

ଅନ୍ୟପଟେ ସାଇବର ଠକେଇର ଶିକାର ହୋଇ ୧ ଲକ୍ଷ ୬୯ ହଜାର ଟଙ୍କା ହରାଇଥିବା ନିତା ଏବଂ ତାଙ୍କ ପରିବାରବର୍ଗଙ୍କ ଆଖିରୁ ନିଦ ହଜିଯାଇଛି। ଲୋଭ ଦେଖାଇ ଜଣେ ଦିନ ମଜୁରିଆଙ୍କ ଜୀବନସାରାର ଜମା ପୁଞ୍ଜି ମାତ୍ର ୨ ଦିନରେ ସାଇବର ଠକମାନେ ସଫା କରିଦେଇଛନ୍ତି। ହେଲେ ମଧ୍ୟ ସେମାନେ ଆହୁରି ଟଙ୍କା ହଡପ କରିବା ପାଇଁ ୬୫ ହଜାର ପୈଠ କଲେ ୩୫ ଲକ୍ଷ ଟଙ୍କା ମିଳିବ ବୋଲି ବାରମ୍ବାର ଫୋନ କରୁଥିବା ନିତା ପ୍ରକାଶ କରିଛନ୍ତି।

 

 

Spread the love