ଆଦର୍ଶ କଲୋନୀ ହେବ କେନ୍ଦ୍ରାପଡାର ସାତଭାୟା ବଗପାଟିଆ ଥଇଥାନ କଲୋନୀ, ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୨୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । 5T ସଚିବ ଭିକେ ପାଣ୍ଡିଆନଙ୍କ କ୍ଷେତ୍ର ପରିଦର୍ଶନର ୨୪ ଘଣ୍ଟା ମଧ୍ୟରେ ଏହି ପ୍ୟାକେଜ ମଞ୍ଜୁର ହୋଇଛି । ଫାଇଭ-ଟି ଉପକ୍ରମରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିକାଶ କାମ ଶେଷ ହେବ । ଆବଶ୍ୟକତା ଭିତ୍ତିରେ ଲୋକଙ୍କୁ ଚାଷ ଜମି ମଧ୍ୟ ଦିଆଯିବ । ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ଲୋକଙ୍କ ପାଇଁ ଦେଶର ପ୍ରଥମ ଥଇଥାନ କଲୋନୀ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନ ଧରି 5T ସଚିବ ଭିକେ ପାଣ୍ଡିଆନ୍‌ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଥିଲେ । ଗସ୍ତର ଦ୍ୱିତୀୟ ଦିନରେ ସେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ସମୟରେ ଫାଇଭ ଟି ସଚିବ ବିସ୍ଥାପିତଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ । ପରେ ଭୁବନେଶ୍ଵର ଫେରି ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ପାଇଁ ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ୨୨ କୋଟି ୫୦ ଲକ୍ଷ ୭୧ ହଜାର ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି ।

ଏହି ଅର୍ଥରେ ଅଞ୍ଚଳରେ ବନ୍ଧବାଡର ସୁଦୃଢୀକରଣ ସହିତ ହିତାଧିକାରୀଙ୍କ ବାସଗୃହ, ଜୀବିକା କାର୍ଯ୍ୟକ୍ରମ, ରାସ୍ତା, ପିଇବା ପାଣି, ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ । ସେହିପରି ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସହ ଲାଇଟ ଆଣ୍ଡ ସାଉଣ୍ଡ ସୋ ବ୍ୟବସ୍ଥା କରାଯାଇ ଏହାକୁ ପ୍ରମୁଖ ପର୍ଯ୍ୟଟନ ସ୍ଥାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏସମସ୍ତ କାମ 5T ଉପକ୍ରମରେ ତୁରନ୍ତ ହାତକୁ ନେଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।

Spread the love