ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅମାନ୍ଯ : କେନ୍ଦୁପତ୍ର କର୍ମଚାରୀ ସଂଘର ଅସନ୍ତୋଷ

ବରଗଡ଼, ୪/୦୫: ଲକ ଡାଉନ ସମୟରେ କୌଣସି ଶିଳ୍ପ ସଂସ୍ଥାରେ କାହାକୁ ଜଣକୁ ମଧ୍ୟ ଛଟେଇ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ କରିଥିଲେ । ଓଡିଶା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୨ ହଜାର ସିଜିନାଲ କର୍ମଚାରୀ ମୁନସୀ, ଚପରାସୀ ଓ ସେକସନ ୱ୍ଯାଚର ମାନଙ୍କୁ ଛଟେଇ କରାଯିବା ଘଟଣା ଗତ କିଛି ଦିନ ସାରା ରାଜ୍ୟରେ ଚର୍ଚ୍ଚା ପାଲଟି ଥିଲା । ପୂର୍ବତନ ବିଧାୟକ ତଥା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନେତା ଏ ସମସ୍ଯା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୃଷ୍ଟି ଆକର୍ଷଣ କଲାପରେ କେନ୍ଦୁପତ୍ର ଶ୍ରମିକ ମାନଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ ଜଙ୍ଗଲ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁନସୀ, ଚପରାସୀ ଙ୍କ ଛଟେଇ ବନ୍ଦ ହେବା ସହ,ସିଜିନାଲ କର୍ମଚାରୀ ଙ୍କ ଦରମା ବୃଦ୍ଧି ଓ କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ସାମାଜିକ ମଙ୍ଗଳ ପାଣ୍ଠି ବଳବତ୍ତର ରହିଲା । ଗତ କାଲି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇକମାଲ ଠାରେ ଅନୁଷ୍ଠିତ ହୋଇଥିଲା । ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ପୂର୍ବତନ ବିଧାୟକ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ ଓଡିଶାରେ ୩୦ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟରତ ୪ ଶହ ଜଣ ସେକସନ ଚେକରଙ୍କୁ ଛଟେଇ କରାଯାଇଥିବା ଏବଂ କୁଶଳୀ କର୍ମଚାରୀ ର ମଜୁରୀ ପାଉଥିବା ସିଜି ୱ୍ଯାଚର ୪ଶହ ଜଣଙ୍କ ଠାରୁ ସେମାନଙ୍କ ମଜୁରୀ ଟଙ୍କାରୁ ବତ୍ତର୍ମାନ ରିକୋଭରୀ କରା ଯାଉଥିବାରୁ ବୈଠକରେ ସଂଘର ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ଅମାନ୍ଯ କରା ଯାଇଥିବାରୁ ପୁଣି ଥରେ ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ପାଇଁ ସଂଘର ନେତା ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀ ଙ୍କ ଅନୁରୋଧ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ସଂପାଦକ କୋକିଳ ସାହୁ, ଅରମାନ ଖାଁ,ଚୁଡାମଣି ପାଣିଗ୍ରାହୀ, ମହେନ୍ଦ୍ର ପ୍ରଧାନ,ଋଷବ ପ୍ରଧାନ, ବଂଶିଧର ପ୍ରଧାନ,ପଚାନନ ପ୍ରଧାନ,ପାରେଶ୍ବର ପାତ୍ର,ଖେତ କୁମାର ବିଭାର,ହରିହର ପାଣ୍ତେ, ରାମଚନ୍ଦ୍ର ସାହୁ, ଗୁଣନିଧି ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love