ସ୍ତ୍ରୀକୁ ସନ୍ଦେହ କରି ୧୧ ମାସର ପୁଅକୁ କରିଥିଲା ହତ୍ୟା, ଏବେ ଜେଲ୍‌ ଗଲା ସ୍ୱାମୀ

କେନ୍ଦୁଝର, ୨୦।୬: କେନ୍ଦୁଝରରେ ସ୍ତ୍ରୀର ଚରିତ୍ର ସହ ପିତୃତ୍ବକୁ ସନ୍ଦେହ କରି ୧୧ ମାସର ଶିଶୁ ପୁତ୍ରକୁ ହତ୍ୟା ସହ ସ୍ତ୍ରୀକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲାର ବିଚାର କରି ରାୟ ଶୁଣାଇଛନ୍ତି କୋର୍ଟ । ସ୍ୱାମୀ ଗୋପବନ୍ଧୁ ବେହେରାକୁ ୭ ବର୍ଷ ଜେଲ ସହ ୨୫ ହଜାର ଜୋରିମାନା, ଅନାଦେୟ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରା ଜର୍ଜ ଚିତ୍ତ ରଞ୍ଜନ ମହାପାତ୍ର ।

ପାଟଣା ଥାନା ଅସ୍ତଯୋଡି ଗାଁର ଗୋପବନ୍ଧୁ ବେହେରା ଗୁଜରାଟକୁ କାମ କରିବାକୁ ଯିବା ସମୟରେ ତାଙ୍କ ସ୍ତ୍ରୀ ସସ୍ମିତା ବେହେରାଙ୍କୁ ହରିଚନ୍ଦନପୁର ସ୍ଥିତ ତାଙ୍କ ନିଜ ଭିଣୋଇଙ୍କ ଘରେ ଛାଡିଦେଇ ଯାଇଥିଲେ । ଆଉ ବର୍ଷେ ପରେ ଫେରିବା ବେଳକୁ ତାଙ୍କ ସ୍ତ୍ରୀ ସସ୍ମିତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇସାରିଥିଲା । ଏହାକୁ ନେଇ ଗୋପବନ୍ଧୁ ତାଙ୍କ ସ୍ତ୍ରୀଙ୍କର ଚଚିତ୍ର ଓ ପିତୃତ୍ବକୁ ସନ୍ଦେହ କରିଥିଲେ ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ଶେଷରେ ତା ୨୭/୭/୨୦୧୭ରେ ଏହା ଉଗ୍ରରୂପ ନେଇଥିଲା ଓ ୧୧ ମାସର ଶିଶୁ ପୁତ୍ର କ୍ଷତିପ୍ରକାଶ ବେହେରାକୁ ଗୋପବନ୍ଧୁ ତଣ୍ଟି ଚିପି ହତ୍ୟା କରିଥିଲା । ଏହା ଦେଖି ସ୍ତ୍ରୀ ସସ୍ମିତା ଆତ୍ମହତ୍ୟା କରିଦେଇଥିଲେ । ଶେଷରେ ଏହି ମାମଲାରେ ପୁତ୍ରକୁ ହତ୍ୟା ଅଭିଯୋଗରେ ପ୍ରମାଣ ଅଭାବରୁ ଖଲାସ ହୋଇଥିବା ବେଳେ ସ୍ତ୍ରୀକୁ ଅତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Spread the love