ମନମୋହୁଛି ବଡଘାଗରାର ଅପରୂପ ସୌନ୍ଦର୍ଯ୍ୟ, ଜମୁଛି ପର୍ଯ୍ୟଟକଙ୍କ ଭିଡ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲା । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତା’ର ସବୁ କାରିଗରୀ । ସେହିଭଳି ଏକ ସ୍ଥାନ ହେଉଛି ଜିଲ୍ଲାର ବଡ ଘାଗରା । ଏବେ ଚାଲିଛି ପର୍ଯ୍ୟଟନର ଋତୁ । ପର୍ଯ୍ୟଟନ ସ୍ଥଳ ବୁଲିବା ସହ ବଣଭୋଜି ପାଇଁ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ପାଉଛି । କେନ୍ଦୁଝରରେ ବହୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଥିବାବେଳେ ସେଥିମଧ୍ୟରୁ ବଡ ଘାଗରା ଅନ୍ୟତମ । ସୁନ୍ଦର ପରିବେଶ, ସହ ମନୋରମ ଜଳପ୍ରପାତ, ସାନମାଛକାନ୍ଦଣା ଡ୍ୟାମ ପର୍ଯ୍ୟଟକଙ୍କୁ ବଡଘାଗରା ପ୍ରତି ଆକୃଷ୍ଟ କରିଥାଏ । 

ଏହା ସହ ଏଠାରେ ବଣ ଭୋଜି ପାଇଁ ପର୍ଯ୍ୟାପ୍ତ ସ୍ଥାନ ଓ ସୁବିଧା ସୁଯୋଗ ଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କେନ୍ଦୁଝର ସହରଠାରୁ ସମ୍ବଲପୁର ରାସ୍ତା ୪୯ନଂ ଜାତୀୟ ରାଜପଥରେ ୫ କି.ମି ଯିବାପରେ ପଡିଥାଏ ଅଞ୍ଜର ଛକ । ସେଠାରୁ ବାମ ପାଶ୍ୱର୍ରେ ମାତ୍ର ୩ କି.ମି ଯିବା ପରେ ପଡେ ବଡଘାଗରା । ଶୀତ ବଢିବା ସହିତ ବଡଘାଗରାରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ । ବଡଘାଗରାକୁ ଅଧିକ ସୌନ୍ଦର୍ଯ୍ୟମୟ କରିବାକୁ ଜିଲ୍ଲା ପ୍ରଶାସନ ଦ୍ବାରା ଏହାର ପାରିପାର୍ଶ୍ବିକ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ନୂତନ ଚଲାପଥ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ସୁସଜ୍ଜିତ ପାହାଚ ଓ ମନୋରମ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି ।  ବଡଘାଗରାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଝରଣା । ସୁଉଚ୍ଚ ପାହଡରୁ ଝରୁଥିବା ପାଣିର ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବା ପାଇଁ ‘‘ଫ୍ଲୋଟିଙ୍ଗ୍ ଜେଟି’’ ତିଆରି ହୋଇଛି । ପର୍ଯ୍ୟଟକଙ୍କ ଉପରେ ଝରଣାରୁ ବିଚ୍ଛୁରିତ ହେଉଥିବା ଟୋପା ଟୋପା ଜଳବିନ୍ଦୁ ଏକ ଅପାସୋରାର ଅନୁଭବ ଦେଇଥାଏ । ଜିଲ୍ଲା ପ୍ରଶାସନ ତରଫରୁ ୨କୋଟି ଟଙ୍କା ଖର୍ଚ୍ଚ କରାଯାଇ ବଡଘାଗରାରେ ଚିଲଡ୍ରେନ ପାର୍କ, ସାଇନ୍ସ ପାର୍କ, ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ କରଣ, ପିକନିକ ପିଣ୍ଡି , ପିଇବା ପାଣି ବ୍ୟବସ୍ଥା ଓ ବୋଟିଂର ବ୍ୟବସ୍ଥା କରାଯିବା କଥା କିନ୍ତୁ ଆଜି ଯାଏ ହୋଇପାରିନି ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ ।

Spread the love