ବୈଜୟନ୍ତ ଓ ଜାଗିଙ୍କୁ ଚନ୍ଦ୍ରାଣୀଙ୍କ ପ୍ରଶ୍ନ: “ମୋ ସ୍ଥାନରେ ଆପଣଙ୍କ ଝିଅ ଥିଲେ”

ଭୁବନେଶ୍ୱର, କେନ୍ଦୁଝରର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କର ଛବିକୁ ସର୍ବସାଧାରଣରେ ଖରାପ କରିବା ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଏକ ଅପପ୍ରଚେଷ୍ଟା ହୋଇଥିଲା। ଏକ ମିଥ୍ୟା ଭିଡିଓ ପ୍ରସାରଣ କରାଯାଇ, ଅଶ୍ଲୀଳତାକୁ ପ୍ରୋତ୍ସାହିତ କରିବା ସହ ଭିଡିଓରେ ଥିବା ମହିଳାଙ୍କୁ ଇନ୍ଦ୍ରାଣୀ ମୂର୍ମୁ ବୋଲି ଉଲ୍ଲେଖ କରାଯାଇଥିଲା। ଯାହା ଏକଦମ ଅସତ୍ୟ ଅଟେ। ଏଭଳି ଉଦ୍ୟମ ଓଟିଭିର ଜଣେ ସାମ୍ୱାଦିକ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ପ୍ରସଙ୍ଗରେ ଗତକାଲି ଓଟିଭି ସାମ୍ୱାଦିକ ରମେଶ ରଥଙ୍କୁ ପୋଲିସ ଗିରଫ କରିଥିଲା। ଏହି ଗିରଫଦାରୀକୁ ଓଟିଭି କର୍ତ୍ତୃପକ୍ଷ ରାଜନୈତିକ ରୂପ ଦେବାରେ ଲାଗିଛନ୍ତି। ନାରୀର ସମ୍ମାନ ଓ ସ୍ୱାଭିମାନ ଅପେକ୍ଷା ଏହାକୁ ନେଇ ମିଛ ଖବର ପରିବେଷଣ କରିବାରେ ଲାଗିଛନ୍ତି। ଏପରିକି ଓଟିଭି ମାଲିକ ଜାଗି ମଙ୍ଗତ ପଣ୍ଡା ଏକ କୁକର୍ମ ପାଇଁ ନିଜ ସାମ୍ୱାଦିକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା ମଧ୍ୟ କରୁଛନ୍ତି ।

ଏବେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏହି ପ୍ରସଙ୍ଗ ଉପରେ ମତ ରଖି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ, ମିଛ ଭିଡିଓ ଭାଇରାଲ କରି ଓଟିଭି ସାମ୍ୱାଦିକ ମୋତେ ମାନସିକସ୍ତରରେ କ୍ଷତି ପହଞ୍ଚାଇଛନ୍ତି। ଏଭଳି ଅପପ୍ରଚାର ମୋତେ ମାନସିକ ଯନ୍ତ୍ରଣା ଓ ନିର୍ଯ୍ୟାତନା ଦେଇଛି । ତେବେ ଏବେ ପୋଲିସ ସାମ୍ୱାଦିକଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବା ବେଳେ ଓଟିଭି ମାଲିକ ବୈଜୟନ୍ତ ପଣ୍ଡା ଓ ଜାଗି ମଙ୍ଗତ ପଣ୍ଡା ସାମ୍ୱାଦିକଙ୍କ ସପକ୍ଷରେ ମତ ରଖୁଛନ୍ତି। ସରକାର ଓଟିଭି ଉପରେ ଆକ୍ରୋଶ ରଖି ଏଭଳି କରୁଥିବା ପଣ୍ଡା ଦମ୍ପତି ଅଭିଯୋଗ କରୁଛନ୍ତି। ତେବେ ବାସ୍ତବରେ ଏହା କଣ ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି। ବୈଜୟନ୍ତ ପଣ୍ଡାଙ୍କୁ ପାଲଟା ପ୍ରଶ୍ନ କରି ଚନ୍ଦ୍ରାଣୀ ମୁର୍ମୁ କହିଛନ୍ତି ଯେ ମୋ ସ୍ଥାନରେ ଆପଣଙ୍କ ଝିଅ ଥିଲେ, ଆପଣ କଣ ଏହା ହିଁ କରିଥାନ୍ତେ, ଯାହା ଏବେ କରୁଛନ୍ତି ।

ଜଣେ ସାମ୍ୱାଦିକ କଣ ଦାୟିତ୍ୱବାନ ହେବା ଉଚିତ୍ ନୁହେଁ କି? ସ୍ୱାଧୀନତା ନାମରେ ଜଣେ ସାମ୍ୱାଦିକ ଯାହା କିଛି କରାଯିବ। ପରେ ପୋଲିସ ଅପରାଧିକ କାର୍ଯ୍ୟକଳାପକୁ ବିରୋଧ କଲେ ଏହାକୁ ସାମ୍ୱାଦିକ ବିରୋଧୀ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯିବ । ଏହା କେତେ ଦୂର ଯଥାର୍ଥ? ମୁଁ ଜଣେ ଆଦିବାସୀ ମହିଳା ଓ ସର୍ବସାଧାରଣରେ ମୋର ସମ୍ମାନହାନୀ ହୋଇଛି। ସବୁଠାରୁ ବଡ଼ କଥା ଏହା ଉଦ୍ଦେଶ୍ୟମୂଳକ ଭାବେ ହୋଇଛି। ତେଣୁ ମୁଁ ନ୍ୟାୟ ଆଶା କରିବା ଉଚିତ୍ ନୁହେଁ କି ? ଓଟିଭି ଭଳି ସଂସ୍ଥା ନିଜର ଜାତୀୟସ୍ତରରେ ଥିବା ଗଣମାଧ୍ୟମ ସହଯୋଗରେ ତଦନ୍ତକୁ ପ୍ରଭାବିତ କରୁଛନ୍ତି । ଜାତୀୟ ଗଣମାଧ୍ୟମରେ ସମ୍ପର୍କ ଥିବା ହେତୁ ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ସଂପୃକ୍ତ ସାମ୍ୱାଦିକଙ୍କୁ ଘଣ୍ଟ ଘୋଡାଉଛନ୍ତି । ଯାହା ନିହାତି ପକ୍ଷେ ଦୁର୍ଭାଗ୍ୟଜନକ ଅଟେ । ତେବେ ଉକ୍ତ ଭିଡିଓରେ ଜାତୀୟ ଗଣମାଧ୍ୟମକୁ ଓଟିଭି ସମର୍ଥନରେ ଖବର ପ୍ରସାରଣ ନକରିବା ପାଇଁ ଅପିଲ୍ କରିବା ସହ ନିଜ ପାଇଁ ନ୍ୟାୟ ଦାବି କରିଛନ୍ତି ।

Spread the love