ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ, କୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଲା ୭୦୧ ପ୍ରକାର ସ୍ଵାଦିଷ୍ଟ ବ୍ୟଞ୍ଜନ

ପୁରୀ ୧୫।୧୨: ଗୋଟିଏ କି ଦୁଇପ୍ରକାର ନୁହେଁ, ଭଳି କି ଭଳି ୭୦୧ ପ୍ରକାର ସ୍ଵାଦିଷ୍ଟ ବ୍ୟଞ୍ଜନ। ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ବା ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ବୈଷ୍ଣବ ଶ୍ରଦ୍ଧାଳୁ ମାନଙ୍କ ଦ୍ବାରା  ପ୍ରସ୍ତୁତ ହୋଇଥିଲା ଏହି ବ୍ୟଞ୍ଚନ । ପବିତ୍ର ବ୍ୟଞ୍ଜନ ଦ୍ବାଦଶୀରେ ଶ୍ରୀ ରାଧା କୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶହଶହ ଶ୍ରଦ୍ଧାଳୁ।

ଶ୍ରୀକ୍ଷେତ୍ରରେ ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ ।  ଦ୍ବାପର ଯୁଗର ଲୀଳାମୟ ଠାକୁର କୃଷ୍ଣ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ଏହି ୭୦୧ ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ । ମିଠା କାନିକା, ଖେଚୁଡ଼ି ଓ ଘିଅ ଅନ୍ନ ପରି ୧୭ ପ୍ରକାର ଅନ୍ନ, ୧୮ ପ୍ରକାର ଖିରି, ୫୧ ପ୍ରକାର ତରକାରି, ଆଉ ୧୬୧ ପ୍ରକାର ଚଟଣି ।  ଆଉ ଏମିତି କେତେକଣ ବ୍ୟଞ୍ଜନ । ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରିବାକୁ ଦୀର୍ଘବର୍ଷ ଧରି ପୁରୀର ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ବାଦଶୀରେ  ଏଭଳି ବ୍ୟଞ୍ଜନ ପ୍ରସ୍ତୁତି  ସହ ଶ୍ରଦ୍ଧାଳୁଙ୍କୁ ପରସା ଯାଉଛି। ଦ୍ବାପର ଯୁଗରେ ମା ଯଶୋଦା ନାନାଦି ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରୁଥିଲେ । ତେଣୁ ଗୌଡ଼ୀୟ ବୈଷ୍ଣବଙ୍କ ଦ୍ବାରା ପ୍ରତିବର୍ଷ ଏଭଳି ଭାବେ ବ୍ୟଞ୍ଜନ ଦ୍ବାଦଶୀ ପାଳନ କରାଯାଉଛି।

ଏବି ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ମଙ୍ଗଳବାର ସକାଳୁ ପରିବା ସବୁ ଅମୁଣିଆ କରାଯାଇଥିଲା । ଉଭୟ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ପରିବା କଟାକଟି ଓ ରୋଷେଇ କାର୍ଯ୍ୟରେ ସାମିଲ ହୋଇଥିଲେ । ରୋଷେଇ ପାଇଁ ବ୍ୟବହୃତ ହୋଇଥିଲା ୨୦ଟି ଚୁଲି। ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ପାରମ୍ପରିକ ବ୍ୟଞ୍ଜନ ସବୁ ଏଠାରେ ପ୍ରସ୍ତୁତ ହୋଇଥିଲା। ଏହି ଅବସରରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାସ୍କର ମିଶ୍ରଙ୍କ ରଚୟିତା ଶ୍ରୀକ୍ଷେତ୍ରର ବିବିଧ ଉପାସନା ଗ୍ରନ୍ଥ ମଧ୍ୟ  ଲୋକାର୍ପିତ ହୋଇଛି।

ପ୍ରତି ବର୍ଷ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ବେଳେ ଚଳିତବର୍ଷ ୭୦୧ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ସମ୍ମିଳିତ ଭାବେ ପ୍ରସାଦ ସେବନ କରିଥିଲେ।

Spread the love