ଏଥର ବି ଖଣ୍ଡଗିରି ମେଳାରେ ଦୁଲୁକିବନି ଯାତ୍ରା ପେଣ୍ଡାଲ

ଭୁବନେଶ୍ବର ୨୯।୧: ଏଥର ହେବନି ଖଣ୍ଡଗିରି ଯାତ୍ରା । ପୁଣି ବାଧକ ସାଜିଲା କରୋନା ମହାମାରୀ । ଖଣ୍ଡଗିରି ଯାତ୍ରା ପାଇଁ ଚଳିତ ଥର ଅନୁମତି ମିଳିନାହିଁ । ଫଳରେ ଦ୍ବିତୀୟ ଥର ପାଇଁ ଖଣ୍ଡଗିରି ମେଳାରେ ଯାତ୍ରା ବନ୍ଦ ହୋଇଛି । ଏଥିପାଇଁ ଯାତ୍ରା ଦଳ, କଳାକାର, କମିଟି ସମସ୍ତେ ନିରାଶ ହୋଇଛନ୍ତି ।

ଗତ ୨୫ ତାରିଖରେ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟିମାନଙ୍କ ପକ୍ଷରୁ ଯାତ୍ରା ପରିବେଷଣ ନେଇ ଅନୁମତି ମଗା ଯାଇଥିଲା । କମିଟିମାନେ ପ୍ରଥମେ ଭୁବନେଶ୍ବର ଡିସିପି ଏବଂ ପରେ ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ନିକଟରେ ଦରଖାସ୍ତ ଆବେଦନ କରିଥିଲେ । ତେବେ ଶେଷରେ କମିଟି ସଦସ୍ୟଙ୍କୁ ନିରାଶ ହେବାକୁ ପଡ଼ିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇନାହିଁ । ଚଳିତ ବର୍ଷ ଯାତ୍ରା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।୧୯୬୪ ମସିହାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ଏହି ଯାତ୍ରା ମହୋତ୍ସବର ପରିକଳ୍ପନା କରାଯାଇଥିଲା । ତାଙ୍କ ନିର୍ଦ୍ଦେଶ କ୍ରମେ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରା ଆରମ୍ଭ ହୋଇଥିଲା । ସେବେଠାରୁ ଏହି ଯାତ୍ରା ହୋଇଆସୁଛି । ମାତ୍ର କରୋନା ଲାଗି ଦୁଇବର୍ଷ ହେବ ସରକାର ଯାତ୍ରାକୁ ବନ୍ଦ କରିଛନ୍ତି । ଫଳରେ ଦୀର୍ଘବର୍ଷର ଯାତ୍ରା ପରମ୍ପରାରେ ବ୍ରେକ୍‌ ଲାଗିଛି । ଗତବର୍ଷ ବନ୍ଦ ପରେ ୫୬ବର୍ଷର ଯାତ୍ରା ପରମ୍ପରା ଭାଙ୍ଗିଥିଲା । ଯାହାକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା । ସମସ୍ତଙ୍କ ଅପେକ୍ଷା ଥିଲା ଗତବର୍ଷ ଯାହା ହେଲା, ଏବର୍ଷ କିନ୍ତୁ ଅନୁମତି ମିଳିବ । ମାତ୍ର ସ୍ଥାନୀୟ ପ୍ରଶାସନ ଅନୁମତି ଦେବାକୁ ସିଧା ମନା କରି ଦେଇଛନ୍ତି ।

Spread the love