ଖରିଫ ଧାନ ସଂଗ୍ରହ ଆରମ୍ଭରୁ ସବୁଠି ବିଭ୍ରାଟ, ଫାଇଦା ନେବାକୁ ମାତିଲେଣି ଦଲାଲ, ଚେତୁନି ପ୍ରଶାସନ

ଝାରୁସୁଗୁଡା/ବରଗଡ/କେନ୍ଦୁଝର୧୯।୧୨: ଖରିଫ ଧାନ ସଂଗ୍ରହ ଆରମ୍ଭରୁ ସବୁଠି ବିଭ୍ରାଟ । କେଉଁଠି ପ୍ୟାକ୍ସ, ଲ୍ୟାମ୍ପସ୍ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ମଣ୍ଡିରେ ସାଂଘାତିକ ଅବସ୍ଥା । କେଉଁଠି ଟୋକନ୍ ପାଇ ବି ଚାଷୀ କଲବଲ । ଧାନ ବିକି ନପାରି ରାତି ଅନିଦ୍ରା ହୋଇ ଥଣ୍ଡା କାକରରେ ପଡି ରହିଛନ୍ତି । ଆଉ ଏହାର ଫାଇଦା ନେବାକୁ ମାତିଲେଣି ରାଜ୍ୟ ବାହାରର ଦଲାଲ ।

ଆରମ୍ଭରୁ ବିଭ୍ରାଟ । କେଉଁଠି ଟୋକନ୍ ପାଇବା ପାଇଁ ପୁଣି  କେଉଁଠି ଟୋକନ୍ ପାଇବା ପରେ ବି  ଚାଷୀ କଲବଲ।  ବାଲେଶ୍ବରରୁ ବରଗଡ଼, ଝାରସୁଗୁଗୁଡାରୁ କେନ୍ଦୁଝର, ସବୁଠି ଅବ୍ୟବସ୍ଥାର ମାଳ ମାଳ ଚିତ୍ର । ଝାରସୁଗୁଡା ଜିଲ୍ଲାରେ ଦୁଇ ଦୁଇଟି ତାରିଖ ଧାର୍ଯ୍ୟ କରାଯିବା ସତ୍ବେ ଏଯାଏ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇନି | ଜିଲ୍ଲାରେ ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଚାଷୀ ମୁଣ୍ଡରେ ଯେମିତି ଚଡକ  ପଡିଛି ।

ନଭେମ୍ବର ୧୪ ତାରିଖରୁ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ ରାଜ୍ୟର ୧୭୦୮ ପ୍ୟାକ୍ସ ଓ ଲ୍ୟାମ୍ପ୍ସ କର୍ମଚାରୀ ୫ ଦଫା ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି। ମାସେ ହେଲାଣି ଆନ୍ଦୋଳନ ଚାଲିଛି।  କେବଳ ଝାରସୁଗୁଡା ନୁହେଁ, ସମ୍ବଲପୁର, ବରଗଡ଼, ସୋନପୁର,  କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସମାନ ଚିତ୍ର । ଚାଷୀ ନିଜ  ଧାନ ବିକିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। କେବେ ଧାନ ଉଠିବ, ସେ ଉତ୍ତର ମଧ୍ୟ କାହାରି ପାଖରେ ନାହିଁ ।

ଏମିତି ଚିତ୍ର ବରଗଡ଼ ଜିଲ୍ଲାରେ ବି ଦେଖିବାକୁ ମିଳିଛି ।  ଧାନ କିଣା ପ୍ରକ୍ରିୟା ଜାରି ରହିଛି ।  ହେଲେ ମଣ୍ଡିକୁ ଆସୁନି ମିଲର୍ସଙ୍କ ଗାଡି କି ଉଠୁନି ଧାନ।  ମଣ୍ଡିରେ ଧାନ ବସ୍ତା ପାହାଡ଼ ଭଳି ଗଦା ହୋଇଛି। ମିଲର୍ସ ଆର୍ଦ୍ରତା ବାହାନାରେ ଧାନ ଉଠାଉ ନାହାନ୍ତି। ସପ୍ତାହକୁ ଗୋଟିଏ ଦୁଇଟି ଟ୍ରକ୍ ମଣ୍ଡିରେ ପହଂଚୁଛି। କଷ୍ଟେମଷ୍ଟେ ଧାନ ଉଠୁଛି। ବାଧ୍ୟ ହୋଇ ଚାଷୀ ଶୀତ କାକରରେ ରାତି ଅନିଦ୍ରା ହୋଇ ମଣ୍ଡି ଏବଂ ଅସ୍ଥାୟୀ ମଣ୍ଡିରେ ଧାନ ଜଗି ରହୁଛନ୍ତି । ଖରିଫ ଧାନ ସଂଗ୍ରହ ଗତ  ମାସ ୨୫ ତାରିଖରୁ ଆରମ୍ଭ ହୋଇଛି ।  ୫୭ ଲକ୍ଷ ୭୩ ହଜାର ୫୨୯ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରହିଛି ।  ହେଲେ ଏବେ ସୁଦ୍ଧା ୨୪ ଦିନ ମଧ୍ୟରେ କିଣାଯାଇଛି ୨୩ ଲକ୍ଷ କୁଇଣ୍ଟାଲ ।

ସମାନ ଅବସ୍ଥା କେନ୍ଦୁଝର ଜିଲ୍ଲାର ।  ୭ ଦିନ ହେଲା ଧାନ ବିକି ନପାରି ମଣ୍ଡିରେ ଡେରା ପକାଇଛନ୍ତି ଚାଷୀ ।  ୧୩ ତାରିଖରୁ ଏଠାରେ ଧାନ କିଣାଯିବା କଥା ।  ଏଥିପାଇଁ ଚାଷୀଙ୍କୁ ଟୋକନ୍ ମିଳିଛି ।  ହେଲେ ୭ ଦିନ ବିତିଲାଣି ମଣ୍ଡି କି ଲ୍ୟାମ୍ପସ୍ କି ପ୍ୟାକ୍ସ ସବୁଠି ପଡିଛି ତାଲା ।  ମଣ୍ଡି କେବେ ଖୋଲିବ ସେ ଉତ୍ତର ମଧ୍ୟ କାହାରି ପାଖରେ ନାହିଁ ।

ମଣ୍ଡିରେ ଧାନ ବିକି ନପାରି ଚାଷୀ ଦହଗଂଜ ହେଉଥିବା ବେଳେ ଏହାର ଫାଇଦା ନେବାକୁ ଅଗଭର ହେଲେଣି ରାଜ୍ୟ ବାହାରର ଦଲାଲ ।  ଚାଷୀ ମଧ୍ୟ ରଖିବାଠୁ କମ୍ ଦାମ୍ ରେ ବିକିଦେବା ଭଲ ନ୍ୟାୟରେ ଶାଗମାଛ ଦରରେ ରାଜ୍ୟ ବାହାର ବେପାରୀଙ୍କୁ ଟେକିଦେବାକୁ ବାଧ୍ୟ ହେଉଛି ।

Spread the love