ଖାରକିଭରେ ଥମୁନି ଋଷର ଘନଘନ ଆକ୍ରମଣ : ବଢିଲା ପାଣି ଓ ବିଜୁଳି ସଙ୍କଟ
ନୂଆଦିଲ୍ଲୀ, ୧୩|୦୯ : ୟୁକ୍ରେନ୍ର ଖାର୍କିଭ୍ ଅଞ୍ଚଳରେ ରୁଷ ପୁଣି ସାନି ଏୟାରଷ୍ଟ୍ରାଇକ୍ କରିଛି । ଏହାଦ୍ୱାରା ଓସନୋଭିଆଂସ୍କି ଓ କିଭସ୍କିର ବାସିନ୍ଦା ପ୍ରଭାବିତ ହୋଇଛନ୍ତି । କିଛି ଘର ଓ ଭିତ୍ତିଭୂମି ଧ୍ୱଂସ ହୋଇଛି । ଖାର୍କିଭ୍ରୁ ରୁଷ ସେନା ଛତ୍ରଭଙ୍ଗ ଦେଉଥିବା ରବିବାର ରିପୋର୍ଟ ପ୍ରକାଶ ପାଇଥିଲା । ଇଜୁମ୍ ସହରରୁ ବିଦେଶୀ ସୈନ୍ୟମାନେ ପଳାୟନ କରୁଥିବା କୁହାଯାଇଥିଲା । ସେମାନେ ଅନ୍ୟ ଅଞ୍ଚଳ ଉପରେ ବଡ଼ ଆକ୍ରମଣ କରିଥିବାରୁ ଭିନ୍ନ ପରିସ୍ଥିତି ଉପୁଜିଛି । ସେପଟେ ଖାର୍କିଭ୍କୁ ଜଳ ଓ ବିଜୁଳି ଯୋଗାଣ ଅତିମାତ୍ରାରେ ପ୍ରଭାବିତ ହୋଇଛି ।
ପୁଟିନ୍ ସେନା ସୋମବାର ଖାର୍କିଭ୍ର କେତେକ ଭିତ୍ତିଭୂମି ବ୍ୟବସ୍ଥା ଉପରେ ଏୟାରଷ୍ଟ୍ରାଇକ୍ କରିଛି । ବିସ୍ଫୋରଣ ଶବ୍ଦରେ ସହରର କେନ୍ଦ୍ରସ୍ଥଳ ଦୋହଲି ଉଠିଛି । ଖାର୍କିଭ୍ର ଆଞ୍ଚଳିକ ସାମରିକ ପ୍ରଶାସନ ମୁଖ୍ୟଙ୍କ ମୁତାବକ ରୁଷ୍ର ସୈନ୍ୟମାନେ ଆଜି ସାନି ବୋମା ମାଡ଼ କରିବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । କିଭସ୍କିରେ କିଛି ସଡ଼କକୁ ସେମାନେ ଟାର୍ଗେଟ୍ କରି ଉଡ଼ାଇ ଦେଇଛନ୍ତି । ରୁଷ୍ର ଏହି ନୂଆ ଆକ୍ରମଣ ଯୋଗୁ ଖାର୍କିଭ୍ ଅଞ୍ଚଳରେ ବିଜୁଳି ଓ ଜଳ ଯୋଗାଣ ପ୍ରଭାବିତ ହୋଇଥିବା ମେୟର ଆଇହର୍ ତେରେକୋଭ ସ୍ପଷ୍ଟ କରିଛନ୍ତି । ପରିସ୍ଥିତି ପୁଣି ପୂର୍ବ ଭଳି ହୋଇଯାଇଛି । ବୋମା ମାଡ଼ ଯୋଗୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରଭାବିତ ହୋଇଛି । ସ୍ଥିତିରେ ସ୍ୱାଭାବିକତା ଫେରାଇ ଆଣିବା ସକାଶେ ବିଦ୍ୟୁତ୍ କ୍ଷେତ୍ରର ଯନ୍ତ୍ରୀମାନେ ଲାଗିଛନ୍ତି । ଉଦ୍ଧାରକାରୀ ଦଳ ମଧ୍ୟ ନିୟୋଜିତ ହୋଇଛି ।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବେ ଖାର୍କିଭ୍ ଉପରେ ପୁଣି କାହିଁକି ଆକ୍ରମଣ କଲେ, ତାହା ୟୁକ୍ରେନ୍ବାସୀଙ୍କୁ ଚିନ୍ତାରେ ପକାଇଛି । ୟୁକ୍ରେନ୍ରେ ରୁଷ ଏହାର ଲକ୍ଷ୍ୟ ପୂରଣ କରିବ ବୋଲି ସୋମବାର କ୍ରେମ୍ଲିନ୍ (ପୁଟିନ୍୍ଙ୍କ କାର୍ଯ୍ୟାଳୟ) ପକ୍ଷରୁ କୁହାଯାଇଛି । କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି, ପୁଟିନ୍ ୟୁକ୍ରେନ୍ ଯୁଦ୍ଧ ନେଇ ସବୁ ଖବର ରଖିଛନ୍ତି । ୟୁକ୍ରେନ୍ରେ ରୁଷ ଏହାର ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ । ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରୁଷ ସେନା ଏବେ ଖାର୍କିଭ୍ର ବାଲାକ୍ଲେୟା ଓ ଇଜୁମ୍ ସହରରୁ ଅପସାରଣ ହୋଇ ଡୋନେସ୍କ ଉପରେ ଫୋକସ୍ କରିବ । ୟୁକ୍ରେନ୍ରେ ପାଶ୍ଚାତ୍ୟ ଦେଶଗୁଡ଼ିକର କାରସାଦି କୌଣସି ପ୍ରକାର କାମରେ ଆସୁ ନ ଥିବା ରାଷ୍ଟ୍ରପତି ପୁଟିନ୍ ସୋମବାର ଏକ ଟିଭି କାର୍ଯ୍ୟକ୍ରମରେ କହିଛନ୍ତି ।