“ରାଜ୍ୟର କ୍ରୀଡା ଜଗତରେ ସୁଦୃଢ ମୂଳଦୁଆ ପକାଇବ ଖେଲୋ ଇଣ୍ଡିଆ”

ଓଡିଶାରେ ହେବାକୁ ଥିବା   ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ ବୋଲି ସୋମବାର ଭୁବନେଶ୍ୱର ପୂବତଟ ରେଳବାଇ ଅଡିଟୋରିୟମ ଠାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା -୨୦୨୦ ଲୋଗୋ ଏବଂ ଜର୍ସି ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା l

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌, କେନ୍ଦ୍ର ପେଟ୍ରୋଲିୟନ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଉପସ୍ଥିତ ଥିଲେ।ରାଜ୍ୟରେ କେବଳ ହକି ନୁହେଁ, ଆଥଲେଟିକ୍ସରେ ମଧ୍ୟ ବହୁତ ଭଲ ଭଲ ଖେଳାଳି ଅଲମ୍ପିକ ଯାଇ ସଫଳତା ଲାଭ କରିଛନ୍ତି । ଗତ ଅଲମ୍ପିକରେ ଦାରିଦ୍ର‌୍ୟ ପୃଷ୍ଠଭୂମିରୁ ଆସି ମଧ୍ୟ ଧାବିକା ଦୂତି ଚାନ୍ଦ, ଆଥଲେଟ୍ ଶ୍ରାବଣୀ ନନ୍ଦ ବିଶେଷ ଭାବରେ ଓଡିଆ ଘରର ଝିଅମାନେ ନାଁ କରିପାରିଛନ୍ତି । ତେଣୁ ଏହି ଦୃଷ୍ଟିକୋଣରୁ ରାଜ୍ୟ ସରକାର, ଭାରତ ସରକାର ତଥା ବିଭିନ୍ନ ଅନୁଷ୍ଠାନମାନଙ୍କ ପୃଷ୍ଠପୋଷକତାରେ ରାଜ୍ୟ ଖେଳ ଜଗତରେ ଥିବା ଅବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବାର  ଆବଶ୍ୟକତା ରହିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖେଲୋ ଇଣ୍ଡିଆ ନୂଆ କଳ୍ପନା । ଭାରତବର୍ଷରେ ଲୁକ୍କାୟିତ ପ୍ରତିଭାକୁ ଖୋଜି ସାମ୍ନାକୁ ଆଣିବାର ପ୍ରୟାସ ହେଉଛି ଖେଲୋ ଇଣ୍ଡିଆ । ଓଡିଶା ଧୀରେଧୀରେ ଖେଳର ରାଜଧାନୀ ହେବା ପାଇଁ ଯାଉଛି । କେନ୍ଦ୍ର
ଓ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତା ଧୀରେଧୀରେ ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ଖେଳ ନୂଆ ଉଚ୍ଚତାକୁ ଯିବ ବୋଲି ସେ କହିଛନ୍ତି । ସେହିପରି ରାଜ୍ୟର ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଅନେକ ସ୍ପେଷ୍ଟ୍ସ କ୍ଲବ ଏବଂ ଯୁବ ସଂଗଠନ ଅଛି I ଏହି ସମସ୍ତଙ୍କୁ ଯୋଡିବାର ମାଧ୍ୟମ ଖେଲୋ ଇଣ୍ଡିଆ ବୋଲି ସେ ପରିପ୍ରକାଶ କରିଛନ୍ତି । ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସମେତ ସମସ୍ତଙ୍କ ସହଯୋଗ ରହିବା ଦରକାର । ଓଡିଶାର ଅଧିକରୁ ଅଧିକ ପିଲାମାନେ ଖେଳ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ନାଁ କରିପାରିବାର ସକ୍ଷମ ରଖୁଛନ୍ତି । ତେଣୁ ଏହାକୁ ପ୍ରତ୍ସାହିତ କରିବା ସମସ୍ତଙ୍କ ଦାୟିତ୍ୱ । ଖେଲୋ ଇଣ୍ଡିଆ ଦ୍ୱାରା ଓଡିଶାର ପିଲାମାନେ ଲାଭ ପାଇବେ ବୋଲି ସେ କହିଛନ୍ତି ।

Spread the love