ଖୋର୍ଦ୍ଧାରେ ବଡ଼ ଧରଣର ଚୋରି ଗ୍ୟାଙ୍ଗ ଠାବ

ଖୋର୍ଦ୍ଧାରେ ବଡ଼ ଧରଣର ଚୋରି ଗ୍ୟାଙ୍ଗ ଠାବ। ତିନି ଚୋରଙ୍କୁ ଗିରଫ କରିବା ସହ ବହୁ ସୁନାଗହଣା ଜବତ। ଦିନରେ ଚାରିଆଡ଼େ ଘୁରିବୁଲିବା ସହ ରାତିରେ ଚୋରି କରୁଥିବା ଆନ୍ତଃଜିଲ୍ଲା ଚୋର ଗ୍ୟାଙ୍ଗକୁ ଧରିଛି ଖୋର୍ଦ୍ଧା ପୋଲିସ। ସେମାନଙ୍କ ଠାରୁ ଏକ ମୃତ ବଜ୍ରକାପ୍ତା ମଧ୍ୟ ଉଦ୍ଧାର ହୋଇଛି। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ଚୋରି ଅଭିଯୋଗ ଜିଲ୍ଲା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ବୋଲଗଡ଼ ଥାନା ମାଣିକାଗୋଡା କୁମୁଟିସାହିର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଭିଯୋଗ ଆଧାରରେ ପୋଲିସ ଟିମ୍‌ ମାଣିକାଗୋଡା ଜଙ୍ଗଲରେ ଚଢ଼ାଉ କରିଥିଲା।

ଜଙ୍ଗଲ ମଧ୍ୟରୁ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫କେଜି ରୁପା ଅଳଙ୍କାର, ୨୫୦ ଗ୍ରାମ ସୁନା ଅଳଙ୍କାର, ଘର ଭାଙ୍ଗିବାରେ ବ୍ୟବହୃତ ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ଏମାନେ ଖୋର୍ଦ୍ଧା,ନୟାଗଡ଼, ପୁରୀ ସମେତ ୫ଟି ଜିଲ୍ଲାରେ ଚୋରି କରିଥିବା ଜଣାପଡ଼ିଛି। ମୃତ ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆ। ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ଶହେରୁ ଅଧିକ ମାମଲା ରହିଛି। ଖୁବ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ସେମାନଙ୍କୁ ରିମାଣ୍ଡ ଆଣି ଅଧିକ ପଚରାଉଚରା କରାଯିବ ବୋଲି ସେ କହିଛନ୍ତି।

Spread the love