କିଆରାଙ୍କ ଅଭିଯୋଗ: ମୁଁ ବୁଝିପାରୁନି ମତେ କାହିଁକି ‘ଲାଲ୍‌ ସିଂହ ଚଢା’ରେ ନିଆ ଗଲାନାହିଁ

ମୁମ୍ବାଇ: ଅମୀର ଖାନଙ୍କ ବିରୋଧରେ ଅଭିଯୋଗ ଆଣି ଏବେ ଚର୍ଚ୍ଚାରେ  ଅଭିନେତ୍ରୀ କିଆରା ଆଡଭାନୀ। କିଆରାଙ୍କ କହିବା କଥା ହେଲା ଅମୀରଙ୍କ ଅଭିନୀତ ‘ଲାଲ୍‌ ସିଂହ ଚଢା’ରେ ଅଭିନୟ କରିବା ପାଇଁ କିଆରାଙ୍କୁ ସୁଯୋଗ ମିଳିଥିଲା। ହେଲେ, ଶେଷରେ ତାଙ୍କ ବଦଳରେ କରୀନା କପୁର୍‌ଙ୍କୁ ନିଆଗଲା। ତାଙ୍କର ଅଭି‌ଯୋଗ ହେଉଛି, ଅଡିସନ୍‌ରେ ଫେଲ୍‌ ହୋଇଥିଲେ ହୁଏତ ଅଭିନୟରେ ତାଙ୍କର ଯୋଗ୍ୟତା କିମ୍ବା ଦକ୍ଷତା ନାହିଁ ବୋଲି ସେ ଜାଣିପାରିଥା‌’ନ୍ତେ। ମାତ୍ର ସେ ଅଡିସନ୍ କ୍ଲିୟର କରିବା ପରେ ବି କାଷ୍ଟିଂରୁ ବାଦ ପଡ଼ିଲେ। ଅଡିସନ୍‌ରେ ଉଭୟ ନବାଗତ ଓ ନାମୀ କଳାକାରମାନେ ଅଂଶଗ୍ରହଣ କରିଥା’ନ୍ତି। ସେ ମଧ୍ୟ ଅଂଶଗ୍ରହଣ କରିଥିଲେ। ହେଲେ, କାହିଁକି ବାଦ୍‌ ପଡ଼ିଲେ ତାହା ସେ ବୁଝିପାରୁ ନ ଥିବା କହିଛନ୍ତି କିଆରା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସିନେମା ନିର୍ମାଣରେ କାଷ୍ଟିଙ୍ଗ୍ ହେଉଛି ଗୁରୁତ୍ବପୂର୍ଣ୍ଣ ଅଂଶ। ଉପଯୁକ୍ତ ଚେହେରା ଓ ଚରିତ୍ରକୁ ନିର୍ବାଚିତ କଲେ କାହାଣୀରେ ଅବିକଳ ଉପସ୍ଥାପନା ଓ ଦକ୍ଷ ଅଭିନୟ ଦେଖିବାକୁ ମିଳିଥାଏ। ତେବେ କିଆରାଙ୍କ ଏହିଭଳି ପ୍ରତିକ୍ରିୟାରେ କେତେ ସତ୍ୟତା ରହିଛି ତାହା ଜଣାପଡ଼ିନି।  ନିକଟରେ ମୁକ୍ତିଲାଭ କରିବାକୁ ଥିବା ‘ଗେମ୍ ଚେଞ୍ଜର’ରେ ଦକ୍ଷିଣୀ ଅଭିନେତା ରାମ ଚରଣଙ୍କ ସହ ଅଭିନୟ କରୁଛନ୍ତି କିଆରା। ଏହାପରେ ‘ୱାର-୨’ରେ ହ୍ରିତିକ୍ ରୋଶନ୍‌ଙ୍କ ବିପକ୍ଷ‌ରେ ମଧ୍ୟ ତାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ। ଏଥିରେ ଜୁନିୟର ଏନ୍‌ଟିଆର ବି ଅଭିନୟ କରୁଛନ୍ତି।

ସଂପ୍ରତି କାର୍ତ୍ତିକ ଆରୟନ୍ ଏବଂ କିଆରା ଆଡଭାନୀଙ୍କ ଯୋଡି ହିଟ୍ ଯୋଡି ବୋଲି ପ୍ରମାଣିତ ହୋଇଛି। ଏମାନଙ୍କ  ଅଭିନୀତ ‘ଭୁଲ୍ ଭୁଲୈୟା ୨’ ଏବଂ ବର୍ତ୍ତମାନ ‘ସତ୍ୟପ୍ରେମ କି କଥା’ ବକ୍ସ ଅଫିସରେ ସୁପରହିଟ ହୋଇଛି। ଉଭୟ ଚଳଚ୍ଚିତ୍ରରେ ସେମାନଙ୍କର କେମେଷ୍ଟ୍ରିକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ଜୁନ୍ ୨୯ରେ ମୁକ୍ତିଲାଭ କରିଥିବା ‘ସତ୍ୟପ୍ରେମ କି କଥା’ ୧୦୦କୋଟି କ୍ଲବରେ ପ୍ରବେଶ କରିଛି।

Spread the love